ନୂଆଦିଲ୍ଲୀ: ଗତକାଲି ରାଜଧର୍ମ ଓ ଦାଇତ୍ୱବୋଧକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଛକାପଞ୍ଚା ଜାରି ରହିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ବରିଷ୍ଠ ସଦସ୍ୟ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଉତ୍ତର ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ଓ ସରକାରରେ ଥିବା ଦଳ ରାଜଧର୍ମ ପାଳନ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିବା ପରେ ଏହାର ଜବାବ ରଖିଥିଲେ ରବି ଶଙ୍କର । ଏହାକୁ ନେଇ କଂଗ୍ରେସ ପକ୍ଷରୁ ଆଜି ଦଳର ବରିଷ୍ଠ ନେତା କପିଲ ସିବଲ ପାଲଟା ଅ।କ୍ରମଣ କରିଛନ୍ତି ।
ଶନିବାର କପିଲ ଟୁଇଟ କରି ଗତକାଲି କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବୟାନ ଉପରେ କହିଛନ୍ତି, ‘କଂଗ୍ରେସକୁ ଆଇନ ମନ୍ତ୍ରୀ କହିଥିଲେ: ଦୟାପୂର୍ବକ ଆମକୁ ରାଜଧର୍ମ ଶିକ୍ଷାନ୍ତୁନି’ । ଆମେ କିପରି ପାରିବୁ ଶ୍ରୀମାନ ମନ୍ତ୍ରୀ ? ଆପଣମାନେ ଯେତେବେତେ ଗୁଜୁରାଟରେ ବାଜପେୟୀଙ୍କୁ ଶୁଣିନଥିଲେ, ଆମକୁ କିପରି ବା ଶୁଣିବେ! ଶୁଣିବା, ଶିଖିବା ଓ ପାଳନ କରିବା ଆପଣଙ୍କ ସରକାରର ଦୃଢ ଗୁରାବଳୀ ମଧ୍ୟରୁ ଗୋଟିଏ ବି ନୁହେଁ!’ ଏହି ଟୁଇଟରେ କଂଗ୍ରେସର ବରିଷ୍ଠ ନେତା ୨୦୦୨ରେ ପଶ୍ଚିମାଞ୍ଚଳ ଦାୟିତ୍ୱରେ ଥିବା ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସମୟରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ବାଜପେୟୀଙ୍କ ବାୟାନକୁ ସ୍ଥାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀର ଏକ ସାମ୍ବାଦିକ ସମ୍ମିଳନୀରେ ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା କଂଗ୍ରେସ ନେତା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ପରି ନେତାଙ୍କ ଉସକେଇବା ଓ ଉତ୍ତେଜକପୂର୍ଣ୍ଣ ବୟାନରୁ ସଂଗଠିତ ହୋଇଛି । ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପାଇଁ ଓକିଲାତି କରିବାକୁ ଯାଇ ପ୍ରସାଦ କହିଥିଲେ, ହିଂସାର ପ୍ରଥମ ଦିନରୁ ଗୃହମନ୍ତ୍ରୀ ହିଂସା ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ବିଜେପି ନେତା କପିଲ ମିଶ୍ରା ଓ ପ୍ରଭେଶ ବର୍ମାଙ୍କ ବୟାନକୁ ନେଇ ପ୍ରସାଦ କହିଥିଲେ, ସେମାନଙ୍କ ବୟାନ ପାଇଁ ସେମାନଙ୍କୁ ଏହା ଉପରେ ଜବାବ ମଗାଯାଇଛି । ସେହି ବୟାନକୁ ଦଳ ଗ୍ରହଣ କରେନାହିଁ ।