(ମହାଭାରତ, ସୋର): ସୋରର ଏକମାତ୍ର ଶିଶୁ ଉଦ୍ୟାନ ଏବେ ଅବହେଳିତ ଅବସ୍ଥାରେ ପଡି ରହିଛି । ଏଠାରେ ଥିବା ଲକ୍ଷାଧିକ ଟଙ୍କାର ଖେଳ ସାମଗ୍ରୀ ଖତ ଖାଉଛି । ଦୋଳି ଭାଙ୍ଗି ଯାଇଥିବା ବେଳେ ଜଳଫୁଆରା ଶୁଖି ଗଲାଣି । ସେପଟେ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ଉଦ୍ୟାନର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି । ପ୍ରଶାସନର ଉଦାସୀନତା ଯୋଗୁ ଶିଶୁ ଉଦ୍ୟାନ ମାଟିରେ ମିଶିବାକୁ ଯାଉଥିବା ଅଭିଯୋଗ ହୋଇଛି । ଉଦ୍ୟାନକୁ ଆକର୍ଷଣୀୟ କରିବା ପାଇଁ ଲାଗିଥିବା ଲାଇଟ ପୋଷ୍ଟ, ପିଲାଙ୍କ ମନୋରଞ୍ଜନ ନିମନ୍ତେ ଉଦ୍ଧିଷ୍ଟ ଉପକରଣ ସବୁ ନଷ୍ଟ ହୋଇଯାଇଛି । ଏପରିକି ପାଚେରି ବି ଭାଙ୍ଗିଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ ସୋରର ଏକମାତ୍ର ଶିଶୁ ଉଦ୍ୟାନ ହତଶିରୀ ପାଲଟିଗଲାଣି । ସୂଚନାଯୋଗ୍ୟ, ୨୦୧୫ ମସିହାରେ ୧୮ ଲକ୍ଷ ଟଙ୍କା ବ୍ୟୟରେ ଏହି ଶିଶୁ ଉଦ୍ୟାନଟି ନିର୍ମାଣ ହୋଇଥିଲା । ମାତ୍ର ୪ ବର୍ଷ ମଧ୍ୟରେ ପାର୍କର ରକ୍ଷଣାବେକ୍ଷଣ ଅଭାବରୁ ଅବସ୍ଥା ଏପରି ହୋଇଥିବାରୁ ଲୋକଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଶିଶୁ ଉଦ୍ୟାନର ଉନ୍ନତିକରଣ ପାଇଁ ଧ୍ୟାନ ଦିଆଯାଉଛି ବୋଲି ସୋର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ କହି ଆସୁଛନ୍ତି ।