(ଅମୃତସର): ପଞ୍ଜାବର ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ଟିକ୍ଟିକ୍ ଭିଡିଓ ତିଆରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ଶ୍ରୀହରମନ୍ଦିର ସାହିବ (ଗୋଲଡେନ ଟେମ୍ପୁଲ) ପରିସର ଭିତରେ ଟିକ୍ଟିକ୍ ଉପରେ ପ୍ରତିବନ୍ଧକକୁ ନେଇ ନୋଟିସ ଲଗାଇଛି । ଏନେଇ ଶ୍ରୀହରମନ୍ଦିର ସାହିବର ମ୍ୟାନେଜର ଜସବିନ୍ଦର ସିଂହ କହିଛନ୍ତି, ଏହା ଏକ ପୂଜାସ୍ଥଳ । ତେଣୁ ଏଠାରେ ଟିକ୍ଟକ୍, ସେଲଫି ଆଦି ନେବା ଠିକ୍ ନୁହେଁ ବୋଲି ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ କହି ରଖୁଛୁ । ଯଦି ଏଭଳି କାର୍ଯ୍ୟ ଉପରେ ରୋକ ନ ଲାଗେ ତେବେ ଆଗାମୀ ଦିନରେ ମୋବାଇଲ ଫୋନ ବ୍ୟାନ ଉପରେ ବିଚାର କରାଯିବ । ସୂଚନାଯୋଗ୍ୟ, ନିକଟରେ ସ୍ୱର୍ଣ୍ଣମନ୍ଦିର ଭିତରେ ତିନି ଝିଅ ଏକ ପଞ୍ଜାବୀ ଗୀତ ଉପରେ ଟିକ୍ଟକ୍ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆ ସହ ପଞ୍ଜାବର ଆଞ୍ଚଳିକ ଟିଭି ଚ୍ୟାନେଲ ଗୁଡିକରେ ଭାଇରାଲ ହୋଇଛି । ଏହାପରେ ମନ୍ଦିର ପରିସରରେ ଏଭଳି ଘଟଣା ବାରମ୍ବାର ଘଟିବାରୁ ମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି ।