(ତେହେରାନ): ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଇରାନର ମେଜର ଜେନେରାଲ କାଶିମ ସୁଲେମାନୀଙ୍କୁ ଆମେରିକା ସେନା ହତ୍ୟା କରିବା ପରେ ଏହି ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ଗତ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କରିଥିବା ଇରାନ ଆଉ ଏକ ବଡ ଘୋଷଣା କରିଛି । ମଙ୍ଗଳବାର ଇରାନ ରାଷ୍ଟ୍ରପତି ହସନ ରୁହାନି ଆମେରିକାର ସୈନ୍ୟ ବାହିନୀଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ଏହା ଦ୍ୱାରା ଇରାନ ଏହାର ସୀମା ଆଖପାଖରେ ଥିବା ଆମେରିକା ସୈନ୍ୟ ବାହିନୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଏଭଳି ଘୋଷଣା ପରେ ଇରାନ ଆତଙ୍କୀ ଘୋଷଣା କରିଥିବା ଆମେରିକାର ସେନା ବାହିନୀ ଉପରେ ହମଲା କରିପାରିବ । ଅନ୍ୟପକ୍ଷରେ ଆମେରିକା ସମର୍ଥନ କରୁଥିବା ସ୍ଥାନ ଗୁଡିକୁ ଜଳାଇ ଦିଆଯିବ । ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶ୍ରୁତି ନେବୁ ବୋଲି ଇରାନ ରିଭୋଲ୍ୟୁସନାରୀ ଗାର୍ଡର ହୁସେନ ସଲାମୀ ଧମକ ଦେଇଛନ୍ତି ।
ସୂଚନାଯୋଗ୍ୟ, ଇରାନ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଧମକ ଦେଉଥିବା ବେଳେ ଆମେରିକା ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛି । ଇରାନର ୫୨ଟି ସ୍ଥାନକୁ ଆମେରିକା ଟାର୍ଗେଟ କରିବ ବୋଲି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଥିଲେ ।