(ୱାଶିଂଟନ): ଋଷିଆ ଠାରୁ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦକୁ ନେଇ ପୁଣି ଆମେରିକା ଭାରତକୁ ଚେତାବନୀ ଶୁଣାଇଛି । ଚେତାବନୀ ସତ୍ତେ୍ୱ ଯଦି ଭାରତ ଏହା ଖରିଦ କରେ ତେବେ କଠୋର କଟକଣା ଲଗାଯିବ ବୋଲି ଆମେରିକା ଏକ ପ୍ରକାର ଧମକ ଦେଇଛି । ନିକଟରେ ଆମେରିକାର ବୈ÷ଦେଶିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏସ-୪୦୦ କିଣିଲେ ଭାରତକୁ ଯେ, ଶାସ୍ତି ଦିଆଯିବ ନାହିଁ, ସେଭଳି କିଛି ଦର୍ଶାଯାଇନାହିଁ । ଆମେରିକୀୟ କଂଗ୍ରେସ ଦ୍ୱାରା ଭାରତକୁ ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ରର ମାନ୍ୟତା ଦିଆଯିବା ଅର୍ଥ ନୁହେଁ ଯେ, ଭାରତ ସବୁ ପ୍ରକାରର କଟକଣା ଛାଡ ପାଇଯିବ । ସେ ଆହୁରି କହିଛନ୍ତି, ଭାରତ ହାତକୁ ଏସ-୪୦୦ ଆସିଲେ ତାହା ଆମେରିକା ପ୍ରତି କେତେ ବିପଦ ସୃଷ୍ଟି କରିବ ତାହାର ସମୀକ୍ଷା କରାଯିବ ଓ ପରେ କଟକଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
ସୂଚନାଯୋଗ୍ୟ ଯେ, ଋଷିଆ ଠାରୁ ଯେଉଁ ଦେଶ ଏସ-୪୦୦ କିଣୁଛି ସେମାନଙ୍କ ଉପରେ ଆମେରିକା କଟକଣା ଲଗାଉଛି । ତୁର୍କୀ ଏସ-୪୦୦ କିଣିବା ପରେ ଆମେରିକା ତା ବିରୁଦ୍ଧରେ ମଧ୍ୟ ଆର୍ଥିକ ଓ ଟେକ୍ନୋଲୋଜି ହସ୍ତାନ୍ତର କଟକଣା ଲଗାଇଛି । ଏସ-୪୦୦ ଖରିଦକୁ ନେଇ ଆମେରିକା ଅସନ୍ତୁଷ୍ଟ ଥିବା ସତ୍ତେ୍ୱ ଏହାକୁ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି । ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ କାଳରେ ୫.୪୩ ବିଲିୟନ ଡଲାର ମୁଲ୍ୟର ଚୁୁକ୍ତି ହୋଇଥିଲା ।