(ଗାନ୍ଧୀନଗର,ମହାଭାରତ ): ଗୁଜୁରାଟର କଚ୍ଛ ନିକଟରେ ଥିବା ସମୁଦ୍ର ଉପକୂଳରୁ ସୋମବାର ଗୁଜୁରାଟ ପୋଲିସ ହେରୋଇନ୍ ନେଇ ଯାଉଥିବା ୫ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛି । ଭାରତୀୟ କୋଷ୍ଟ ଗାର୍ଡ ଓ ଆଣ୍ଟି ଟେରରିଜମ୍ ସ୍କ୍ୱାର୍ଡର ମିଳିତ ଚଢାଉ ଅଭିଯାନରେ ସେମାନଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ପ୍ରାୟ ୧୭୫ କୋଟି ଟଙ୍କାର ହେରୋଇନ ଚଢାଉ ବେଳେ ଜବତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, କେତେକ ପାକିସ୍ତାନୀ ନାଗରିକ ହେରୋଇନ ଚୋରାଚାଲାଣ କରୁଥିବା ସମ୍ପର୍କରେ ସୂଚନା ମିଳିବା ପରେ ଏହି ଚଢାଉ ଅଭିଯାନ ଆରମ୍ଭ ହୋଇଥିଲା । ଉଭୟ ଟିମ୍ର ଅଧିକାରୀ ମାନେ ୫ ଜଣ ପାକିସ୍ତାନୀ ଯାତ୍ରା କରୁଥିବା ଏକ ଡଙ୍ଗା ଦେଖିବାକୁ ପାଇଥିଲେ । ତେବେ ଚଢାଉ ବେଳେ ଏହି ଡଙ୍ଗାରୁ ପ୍ରାୟ ୩୫ ପ୍ୟାକେଟ ନିହିଦ୍ଧ ଡ୍ରଗ୍ସ ଜବତ କରିଥିଲେ । ଗିରଫ ହୋଇଥିବା ପାକିସ୍ତାନୀମାନେ କରାଚି ଅନ୍ତର୍ଗତ ବିତ୍ ଜଜିରାର ବାସିନ୍ଦା ବୋଲି ଜଣାପଡିଛି । ସେମାନେ ଦୀର୍ଘ ଦିନ ଧରି ହେରୋଇନ ଚୋରାଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ପାଇବା ପାଇଁ ପୋଲିସ ପଚରାଉଚରା ଚଳାଇଛି ।