ମହାଭାରତ, ନିଶ୍ଚିନ୍ତକୋଇଲି: ଗତକାଲି ନିଶ୍ଚିନ୍ତକୋଇଲି ବ୍ଲକ କଟକ-ଚାନ୍ଦବାଲି ରାସ୍ତାର କଟିକଟା ବଜାର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବୁଧବାର ରାତ୍ରରେ କଟିକଟା ଗ୍ରାମ ପଞ୍ଚାୟତ ନୂଆଗାଁର ନୃସିଂହଚରଣ ମହାରଣା (୬୫) ଗଣେଶପୁର ବଜାରରୁ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ କେନ୍ଦ୍ରାପଡ଼ା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଅଜଣାଗାଡ଼ି ତାଙ୍କୁ ଧକ୍କାଦେଇ ପଳାଇଯାଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ କର୍ମଚାରୀଙ୍କ ସହାୟତାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏ ସମ୍ପର୍କରେ ତାଙ୍କର ପୁତ୍ର ବିଜୟ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଶବକୁ ଜବତ କରିଛନ୍ତି । ଗୁରୁବାର ଦିନ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡ଼ାକ୍ତରଖାନାକୁ ପଠାଯିବ ବୋଲି ଜଣାଯାଇଛି । ତେବେ କଟକ-ଚାନ୍ଦବାଲି ରାସ୍ତାରେ ବେପରୁଆ ଓ ଦ୍ରୁତ ଗତିରେ ଗାଡ଼ିଚାଳନା ହେତୁ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଥିବାରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବାରେ ସକ୍ଷମ ହୋଇନାହାଁନ୍ତି ।
previous post
next post