ନାଇରୋବୀ: କେନ୍ୟାର ଲାମୁ କାଉଣ୍ଟିରେ ଆମେରିକା ସଂଯୁକ୍ତ ସୈନ୍ୟ ଆଡ୍ଡା ଉପରେ ଆତଙ୍କବାଦୀ ସଂଗଠନ ଅଲ ଶବାବ ପକ୍ଷରୁ ଆକ୍ରମଣ ହୋଇଛି । ଏହି ସୈନ୍ୟ ଆଡ୍ଡାକୁ ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ କେନ୍ୟା ସୈନ୍ୟ ମିଳିତ ଭାବେ ପ୍ରୟୋଗ କରିଥାନ୍ତି । ଲାମୁର କମିଶନର ଇରୁଙ୍ଗ ମଚାରିୟା କହିଛନ୍ତି, ଏହି ସୈନ୍ୟ ଆଡ୍ଡା ଉପରେ ଗୋଟିଏ ଆକ୍ରମଣ ହୋଇଥିଲା । କିନ୍ତୁ ସୈନ୍ୟ ଆକ୍ରମଣକାରୀଙ୍କୁ ତଡିବାରେ ସକ୍ଷମ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ ଜଣାପଡି ନାହିଁ ଆକ୍ରମଣରେ କେହି ହତାହତ ହୋଇଛନ୍ତି କି ନାହିଁ ।
ଅପରପକ୍ଷରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏକ ବୟାନ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି, ସଂଗଠନର ସଦସ୍ୟମାନେ ଶତ୍ରୁ ସୀମାରେ ପ୍ରବେଶ କରି ସେଠାରେ ଥିବା ସୈନ୍ୟ ଆଡ୍ଡାକୁ ସଫଳତାପୂର୍ବକ ନଷ୍ଟ କରି ଦେଇଛନ୍ତି ଓ ତାର ଗୋଟିଏ ଅଂଶକୁ ନିଜର ନିୟନ୍ତ୍ରଣକୁ ନେଇ ଯାଇଛନ୍ତି । ଏହି ଆକ୍ରମଣ ଦର୍ଶାଉଛି କି, ଅଲ ଶବାବ ସଂଗଠନକୁ ସୋମାଲିଆର ରାଜଧାନୀ ମୋଗାଦିଶରୁ ବାହାର କରି ସାରିଥିଲେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇ ଚାଲିଛି । ଏହି ସଂଗଠନ କେନ୍ୟା ଉପରେ ପୂର୍ବରୁ ମଧ୍ୟ ଆକ୍ରମଣ କରିଛି । ଯାହାକୁ ଦେଖି କେନ୍ୟା ନିଜର ହଜାର ହଜାର ସୈନିକଙ୍କୁ ଏସବୁ ବିରୋଧରେ ଲଢେଇ କରିବାକୁ ସୋମାଲିଆ ପଠାଇ ଥିଲା ।