ମହାଭାରତ, ବେଜିଂ: କୋରୋନା ଭୂତାଣୁ ଆତଙ୍କରେ ସାରା ଦିନୁଆରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ଏହି ଭୂତାଣୁ ସଂକ୍ରମଣରେ ମୃତ୍ୟୁସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଚୀନରେ ବର୍ତ୍ତମାନ ୧୯୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାର ସ୍ଥିତି ଆହୁରି ଗମ୍ଭୀର ଆଡକୁ ଗତି କରୁଛି । କାରଣ କୋରୋନାର ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ମଧ୍ୟ କୋରୋନା ସଂକ୍ରମଣ କବଜାରେ ଆସିବାରେ ଲାଗିଛନ୍ତି । ଆଜି କୋରୋନାର କେନ୍ଦ୍ର କୁହାଯାଉଥିବା ବୁହାନର ଏକ ବଡ ହସ୍ପିଟାଲର ନିର୍ଦ୍ଦେଶକଙ୍କ କୋରୋନାରେ ମୃତ୍ୟୁ ହୋଇଯାଇଛି । ଚୀନାରେ ୭୨୦୦୦ ଲୋକ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି । ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ, ମଙ୍ଗଳବାର ବୁହାନର ବୁଚାଙ୍ଗ ହସ୍ପିଟାଲର ନିର୍ଦ୍ଦେଶକ ଲିୟୁ ଝିମିଙ୍ଗଙ୍କ କୋରୋନାରେ ମୃତ୍ୟୁ ହୋଇଗଲା । ସେ ଏତେ ବଡ ହସ୍ପିଟାଲ ଅଧିକାରୀଙ୍କ ମୃତ୍ୟୁର ପ୍ରଥମ ବ୍ୟକ୍ତି । ସେଠାକାର ଗଣମାଧ୍ୟମ ସୂତ୍ରରୁ ପ୍ରକାଶ କୋରୋନାରେ ଚୀନର ୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇସାରଥିବା ବେଳେ ୧୭୧୬ ଜଣ ସଂକ୍ରମିତ ଅଛନ୍ତି । ଗତକାଲି ରାତିରେ ହଠାତ ଖବର ପ୍ରସାରଣ ହୋଇଥିଲା କି ନିର୍ଦ୍ଦେଶକ ଲିୟୁଙ୍କ ମୃତ୍ୟୁ ହୋଇଛି । କିନ୍ତୁ କିଛି ସମୟ ପରେ ସେହି ଖବରକୁ ହଟାଇ ଦିଆଯାଇଥିଲା ଓ କୁହାଯାଇଥିଲା, ତାଙ୍କର ଚିକିତ୍ସା ଚାଲିଛି ।
ସୂଚନାଯୋଗ୍ୟ, କୋରୋନା ଭୂତାଣୁକୁ ନେଇ ସର୍ବପ୍ରଥମେ ଦୁନିଆକୁ କୋରୋନା ବିଷୟରେ ସୂଚନା ଦେଇଥିବା ଚୀନର ଡାକ୍ତର ଲି ବେନଲିୟାଙ୍ଗଙ୍କ ଫେବୃଆରୀ ପ୍ରଥମ ସପ୍ତାହରେ ମୃତ୍ୟୁ ହୋଇଥିଲା । ଚୀନର ଗ୍ଲୋବାଲ ଟାଇମ୍ସ ଖବର ଅନୁଯାୟୀ, ଡାକ୍ତର ଲି ବେନଲିୟାଙ୍ଗଙ୍କ ମୃତ୍ୟୁ କୋରୋନା ଭୂତାଣୁ ସଂକ୍ରମଣରେ ହୋଇଥିଲା । ତେବେ ଚୀନ ସରକାର କୋରୋନା ସଂକ୍ରମଣ ଖବର ଲୁଚାଇବାକୁ ଚେଷ୍ଟା କରିଥିଲା ଓ ଡାକ୍ତରଙ୍କୁ ସେତେବେଳେ ଗିରଫ କରାଯାଇଥିଲା ।
previous post