(ମହାଭାରତ, ଚାନ୍ଦବାଲି): ଭଦ୍ରକ ଜିଲ୍ଲା ବାଁସଡା ଥାନା ଅନ୍ତର୍ଗତ ଚରଦିଆ ଗାଁରେ ଗ୍ୟାସ ଲିକ୍ ହେବା ପରେ ଚୂଲାରୁ ନିଆଁ ଲାଗି ୬ ବଖରା ଘର ଭସ୍ମ ହୋଇଯାଇଛି । ଏଥିରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମହିଳା ଜଣକ ଜଣେ ନବ ବିବାହିତା ଓ ତାଙ୍କ ନା ପୂର୍ଣ୍ଣିମା ମହାଳିକ ବୋଲି ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଛି । ସୂଚନା ଅନୁଯାୟୀ, ସୋମବାର ସକାଳେ ମହିଳା ଜଣକ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା । ଚାଳ ଛପର ଘର ହୋଇଥିବାରୁ ନିଆଁ ଦ୍ରୂତ ଗତିରେ ବ୍ୟାପିଥିଲା । ଫଳରେ ସେ ଘରୁ ବାହାରି ପାରିନଥିଲେ । ସେଠାରେ ସେ ଜୀବନ୍ତ ଦଗ୍ଧ ହୋଇଥିଲେ । ସେହିପରି ନିଆଁ ଆଖପାଖ ଘରକୁ ମଧ୍ୟ ବ୍ୟାପିଥିଲା । ଏଥିରେ ଗାଁର ଦୁର୍ଯ୍ୟୋଧନ ମହାଳିକ, ସୁରେନ୍ଦ୍ର ମହାଳିକ ଓ ଚରଣ ମହାଳିକଙ୍କ ଘର ପୋଡି ପାଉଁଶ ହୋଇଥିଲା । ଗାଁ ଲୋକେ ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁକୁ ବ୍ୟାପିବାରୁ ରୋକି ପାରିନଥିଲେ । ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳୁ ସବୁ ଜଳି ପୋଡି ଛାରଖାର ହୋଇସାରିଥିଲା । ଘଟଣାସ୍ଥଳରେ ଚାନ୍ଦବାଲି ତଦସିଲଦାର ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇଥିବାରୁ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
previous post
next post