(ନୂଆଦିଲ୍ଲୀ): ଦିଲ୍ଲୀର ଜାଫରାବାଦରେ ଏବେ ନାଗିରକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ତେଜିଛି । ସିଏଏ ଓ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି)କୁ ବିରୋଧ କରି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶନିବାର ରାତିରେ ହଠାତ ପ୍ରଦର୍ଶନକାରୀମାନେ ସିଏଏ ଓ ଏନଆରସିକୁ ବିରୋଧ କରି ଆନ୍ଦୋଳନର ଡାକରା ଦେଇଛନ୍ତି । ଏହାପରେ ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ କରାଯାଇଛି । ଏହା ବ୍ୟତୀତ ମେଟ୍ରୋ ଟ୍ରେନ ଏହି ଷ୍ଟେସନରେ ରହିବ ନାହିଁ ବୋଲି ରେଲୱେ କର୍ତ୍ତୃପକ୍ଷ କହିଛନ୍ତି । ବିକ୍ଷୋଭକାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସିଏଏ ଓ ଏନଆରସିକୁ ବିିରୋଧ କରି ମହିଳାମାନେ ହାତରେ ଜାତୀୟ ପତାକା ଧରି ‘ଆଜାଦୀ’ ଓ ‘ନୋ ଏନଆରସି’ ସ୍ଲୋଗାନ ଦେଉଛନ୍ତି । ଆନ୍ଦୋଳନ କରିବାକୁ ଯାଇ ମହିଳାମାନେ ସିଲମପୁରର ମୌଜପୁର ଏବଂ ଯମୁନା ବିହାରକୁ ଯୋଡି ହୋଇଥିବା ରାସ୍ତାକୁ ବନ୍ଦ କରି ଦେଇଛନ୍ତି । ଫଳରେ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯେତେପର୍ଯ୍ୟନ୍ତ କେନ୍ଦ୍ର ସରକାର ସିଏଏ ପ୍ରତ୍ୟାହାର କରିନାହାନ୍ତି ସେ ପପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ମହିଳାମାନେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀର ଶାହୀନବାଗ ଅଞ୍ଚଳରେ ଦୀର୍ଘ ଦୁଇ ମାସରୁ ଉଦ୍ଧ୍ୱର୍ ଦିନ ଧରି ସିଏଏ ବିରୋଧରେ ଆନ୍ଦୋଳନ ଚାଲିଛି । ଗତ ଶନିବାର ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥିଙ୍କ ସହ ବିକ୍ଷୋଭକାରୀଙ୍କ ଆଲୋଚନା ପରେ ନୋଏଡା-ଫରିଦାବାଦକୁ ରାସ୍ତା ଖୋଲାଯାଇଛି ।