(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା କୋମାନା ଥାନା ଅନ୍ତର୍ଗତ ଘୋଟେଶ୍ୱର ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଥିରେ ସ୍ୱାମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ଜଣକ ବଲାଙ୍ଗିର ଜିଲ୍ଲା କୁଇମୁଣ୍ଡା ଗାଁର ବାସୁଦେବ ବେମାଲ ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି । ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କୁଇମୁଣ୍ଡା ଗାଁର ବାସୁଦେବ ବେମାଲ ଓ ତାଙ୍କ ସ୍ତ୍ରୀ ଉପାସୀ ବେମାଲ ଘୋଟେଶ୍ୱର ଗାଁରୁ ବାଇକ୍ରେ ନିଜ ଗାଁକୁ ଫେରୁଥିଲେ । ମାତ୍ର ଘୋଟେଶ୍ୱର ଗାଁରୁ ବାହାରି ଜାତୀୟ ରାଜପଥକୁ ଯାଉଥିବା ବେଳେ ଏକ ମାଲ ବୋଝେଇ ଟ୍ରକ୍ ବାଇକ୍ଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ହୋଇଥିଲା । ଏହି ଦୂର୍ଘଟଣାରେ ସ୍ତ୍ରୀ ଉପାସୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୋମନା ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହି ଦୂର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
previous post
next post