(ମହାଭାରତ, ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧିନରେ ଥିବା ଡିହିରାକୁଳ ଗାଁରେ ଆସନ୍ତା ମାସ ଫଗୁ ଦଶମୀର ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହାକୁ ନେଇ ଡିହିରାକୁଳ ଦୋଳଯାତ କମିଟି ପକ୍ଷରୁ ଗତ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କପ୍ତିପଦା ଉପଖଣ୍ଡର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାଏକ ଏଥିରେ ସଭାପତିତ୍ୱ କରିଥିଲେ । ଦୋଳଯାତ କମିଟିର ସମ୍ପାଦକ ରମେଶ ପୃଷ୍ଟି, ରାଢୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବଶେନ ମାର୍ଣ୍ଢି, ସର୍ବେଶ୍ୱର ହାତୀ ପ୍ରମୁଖ ଯୋଗ ଦେଇ ସୁବର୍ଣ୍ଣ ଜୟନ୍ତୀ ପାଳନ ସମ୍ପର୍କରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗୋପୀନାଥ ଦେବ ମେଳଣ ପଡିଆରେ ବିଜେ କଲା ପରେ, ବସନ୍ତ ରାସ ଉତ୍ସବ, ସଙ୍କୀର୍ତ୍ତନ ଆଦି ଅନୁଷ୍ଠିତ ହେବ । ଏହାଛଡା ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଶଣ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦଳା ୟୁନିକ ପ୍ରେସ କ୍ଲବ ସଭାପତି ସନ୍ତୋଷ କୁମାର ବାଛିନି, ବରିଷ୍ଠ ସାମ୍ବାଦିକ ଗୋଲକ ମହାରଣା ଓ ଉଦଳା ଅଞ୍ଚଳର ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
previous post