(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ରେଞ୍ଚ ରେଳବାଇ ପଡିଆରେ ପାଳିତ ହୋଇଯାଇଛି । ଡେଲାଙ୍ଗ ଥାନା ଅଧିକାରୀ ଉପେନ୍ଦ୍ର ନାଥ ଦାଶ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ କ୍ରୀଡା ଉତ୍ସବର ଉଦ୍ଘାଟନ କରିଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନବକିଶୋର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବେରବୋଇ ଗାନ୍ଧିପୀଠରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଡେଲାଙ୍ଗ ବଜାର ପରିକ୍ରମା କରି ଖେଳ ପଡିଆରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଳାଫିଙ୍ଗା, ଥାଳିଆ ଫିଙ୍ଗା, ଅଙ୍କ ଦୌଡ, ବାଦା ଦୌଡ, ମ୍ୟୁଜିକ ଚେୟାର ଆଦି କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଅପରାହ୍ନରେ କ୍ରୀଡା ଉତ୍ସବର ଉଦ୍ୟାପନୀ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡେଲାଙ୍ଗ ଥାନା ସବ୍ଇନ୍ସପେକ୍ଟର ଲାଇକା ମହାରଣା, ବିଦ୍ୟାମନ୍ଦିର ସଭାପତି ବସନ୍ତ କୁମାର ଦାଶ, ଉପସଭାପତି ରାଜେଶ କୁମାର ବିଶ୍ୱାଳ ଯୋଗ ଦେଇଥିଲେ । ଖେଳ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶାରିରୀକ ଓ ମାନସିକ ସନ୍ତୁଳନ ଠିକ୍ ରହିବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଡେଲାଙ୍ଗ ସରସ୍ୱତୀ ଶିଶୁମନ୍ଦିରର ୪୬ଟି ବିଭାଗର ୩୦୩ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବାର୍ଷୀକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।
previous post