(ନୂଆଦିଲ୍ଲୀ): ଆମ୍ ଆଦମୀ ପାର୍ଟି (ଆପ୍)ରୁ ବହିଷ୍କୃତ ହୋଇଥିବା ନେତା ତାହିର ହୁସେନଙ୍କ ପାଇଁ ଅଡୁଆ ବଢିଛି । ତାଙ୍କ ବିରୋଧରେ ଉତ୍ତରପୂର୍ବ ଦିଲ୍ଲୀରେ ହିଂସାକୁ ଉସୁକାଇବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ନାଁରେ ଦୟାଲପୁର ଥାନାରେ ଏତଲା ରୁଜୁ କରାଯାଇଛି । ଏତଲା ରୁଜୁ ହେବା ପରେ ଦିଲ୍ଲୀôର ଖଜୁରୀ ଅଞ୍ଚଳରେ ଥିବା ତାଙ୍କ ଘରକୁ ସିଲ୍ କରି ଦିଆଯାଇଥିବା ଜଣାପଡିଛି । ଅନ୍ୟପଟେ ଏହି ମାମଲାର ଯାଞ୍ଚ ପାଇଁ ଶୁକ୍ରବାର ତାହିରଙ୍କ ଘରେ କ୍ରାଇମବ୍ରାଞ୍ଚର ଏସଆଇଟି ଟିମ୍ ଓ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛି । ସୁରକ୍ଷା ଦୃଷ୍ଟି ଏବଂ ପ୍ରମାଣ ପତ୍ରକୁ ନଷ୍ଟ ନ କରିବା ଉଦ୍ଦେଶ୍ୟରେ ତାଙ୍କ ଘରର ଆଖପାଖ ଅଞ୍ଚଳକୁ ସିଲ୍ କରିଦିଆଯାଇଛି । କୌଣସି ବ୍ୟକ୍ତିଙ୍କୁ ସେଠାକୁ ଯିବା ପାଇଁ ଅନୁମତି ଦିଆଯାଇନାହିଁ । ହିଂସା ବେଳେ ତାହିର କଥାବାର୍ତ୍ତା ହୋଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ତାଙ୍କ କଲ୍ ରେକର୍ଡ ଓ ମୋବାଇଲ ଗତିବିଧି ଉପରେ ପୋଲିସ ନଜର ରଖିଛି । ତେବେ ହିଂସାକୁ ଉସୁକାଇବା ନେଇ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗର ସେ ଖଣ୍ଡନ କରିଛନ୍ତି । ତାହିରଙ୍କ ବିରୋଧରେ ଉତ୍ତରପୂର୍ବ ଅଞ୍ଚଳରେ ହୋଇଥିବା ହିଂସାକୁ ଉସୁକାଇବା, ହତ୍ୟା ଆଦି ଅଭିଯୋଗରେ ପୂର୍ବରୁ ଦିଲ୍ଲୀ ପୋଲିସ ଏଫଆଇଆର ରୁଜୁ କରିଛି । ଗୁରୁବାର ହିଂସା ପରେ ସର୍ଚ୍ଚ ଅପରେସନ ବେଳେ ତାଙ୍କ ଘରୁ ପେଟ୍ରୋଲ ବମ୍, ପଥର ଓ ହିଂସା ପାଇଁ ବ୍ୟବହୃତ କିଛି ସାମଗ୍ରୀ ମିଳିଥିଲା । ଏହି ଅଭିଯୋଗ ଆସିବା ପରେ ଗୁରୁବାର ଆପ୍ ପକ୍ଷରୁ ତାଙ୍କୁ ସାମୂହିକ ଭାବେ ଦଳରୁ ବହିଷ୍କାର କରିଥିଲା ।
previous post