ଓଡିଶା

ଦାରିଦ୍ର୍ୟର ତାଡନାରେ ଅସହାୟ,ସରକାରୀ ସହାୟତାକୁ ଅପେକ୍ଷା

ପାରାଦୀପ: ଦିନେ ତାବେଲା ବଜାଇ ମନ୍ତ୍ରମୁଗ୍ଧ କରୁଥିଲେ ଲୋକଙ୍କୁ,କିନ୍ତୁ ଆଜି ଅସହାୟ ଅବସ୍ଥାରେ ସେଜରେ ପଡିରହିଛନ୍ତି ନିରଞ୍ଜନ । ମୁଣ୍ଡ ଉପରେ ଥୁଆହୋଇଛି ତବଲା ଯାହା ତାଙ୍କୁ ଖ୍ୟାତି ଦେବା ସହିତ ପରିବାର ପ୍ରତିପୋଷଣରେ ସହାୟ ହୋଇଥିଲା । ୫୦୦ ଟଙ୍କା ଭତ୍ତାର ସରକାରୀ ସୁବିଧାରେ ରାହା ଖୋଜୁଛନ୍ତି ନିରଞ୍ଜନ । ନିରଞ୍ଜନଙ୍କ ଆଖି ଦୁଇଟି ନଷ୍ଟ ହୋଇଯିବା ସହ ପାରାଲିସିସ ହୋଇଥିବା ବେଳେ ଯକ୍ଷ୍ମା ଓ ଡାଏବେଟିସ ଯୋଗୁଁ ସ୍ତ୍ରୀ ମଧ୍ୟ ଶଯ୍ୟାସାୟୀ । ଦୀର୍ଘଦିନ ହେଲା ଗୋଟିଏ ସେଜରେ ସ୍ୱାମୀ ଓ ସ୍ତ୍ରୀ ପଡିଥିବା ବେଳେ ଗ୍ରାମବାସୀଙ୍କ ସେବା ସେମାନଙ୍କୁ ବଞ୍ଚାଇ ରଖିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ପାରେଶ୍ୱରପୁର ଗ୍ରାମରେ । ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କୁ ସହାୟତାର ହାତ ବଢାଇଦେବାକୁ ନିବେଦନ କରିଛନ୍ତି ସ୍ୱାମୀ, ସ୍ତ୍ରୀ ଓ ଗ୍ରାମବାସୀ ।
କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ପାରେଶ୍ୱରପୁର ଗ୍ରାମର ନିରଞ୍ଜନ ଦାସ ଜଣେ ଭଲ ତବଲା ବାଦକ ଭାବେ କୁଜଙ୍ଗ ଓ ଆଖପାଖ ଜିଲ୍ଲାରେ ବେଶ୍ ସୁନାମ ଅର୍ଜନ କରିଥିଲେ । କେଉଁଠି ବି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ତାଙ୍କର ଖୋଜା ପଡେ ଓ ସେ ମଧ୍ୟ ତବଲା ଧରି ପହଞ୍ଚି ଯାଆନ୍ତି ସେଠାରେ । ଦିନେ ତବଲା ବଜାଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ନିରଞ୍ଜନ ଏବେ ନିର୍ଜୀବ ପରି ପଡିରହିଛନ୍ତି । ତାଙ୍କ ସହ ତାଙ୍କ ଚିର ସାଥୀ ତବଲା ମଧ୍ୟ ସ୍ତବ୍ଧ ହୋଇଯାଇଛି । ୨୦୦୦ ମସିହା ପରେ ଧିରେ ଧିରେ ତାଙ୍କର ଦୁଇଟିଯାକ ଆଖି ନଷ୍ଟ ହୋଇଯାଇଥିଲା । ପରେ ପାରାଲିସିସ୍ର ଶିକାର ହେଲେ । ଚାଲବୁଲ ବନ୍ଦ ହୋଇଗଲା ଓ ବିଛଣା ଲଗା ହୋଇପଡିଲେ ।
ଏତିକିରେ ନିରଞ୍ଜନଙ୍କ ଦୁଃଖର ଅନ୍ତ ଘଟିନଥିଲା । ଭାଗ୍ୟ ବାମ ହେବା ପରି ସ୍ତ୍ରୀ ଟିକି ଦାସଙ୍କୁ ପ୍ରଥମେ ଯକ୍ଷ୍ମା ଓ ପରେ ଡାଏବେଟିସ ହୋଇଥିଲା । ଅଭାବୀ ମଣିଷ ଖାଇବାକୁ ସୁସମଖାଦ୍ୟ ପାଇନଥିଲେ । ତେଣୁ ସେ ମଧ୍ୟ ବିଗତ ୫ବର୍ଷ ହେଲା କତରା ଲଗା ହୋଇ ପଡିଛନ୍ତି । ପରିସ୍ଥିତି ଏମିତି ହୋଇଛି କିି ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଚୁଲି ଜଳିନାହିଁ ନିରଞ୍ଜନଙ୍କ ଘରେ । ସ୍ୱାମୀ, ସ୍ତ୍ରୀ ଏବେ ଗୋଟିଏ ସେଜରେ ପଡିରହିଛନ୍ତି । ସେମାନଙ୍କ ଭରଣ ପୋଷଣର ଏକ ମାତ୍ର ମାଧ୍ୟମ ହେଉଛି ୫୦୦ ଟଙ୍କାର ଭତ୍ତା । ତାହା ପୁଣି କେବଳ ନିରଞ୍ଜନଙ୍କୁ ମିଳୁଛି । ସ୍ତ୍ରୀ ଟିକିଙ୍କ ବାର୍ଦ୍ଧକ୍ୟ ଭତ୍ତା ହୋଇନାହିଁ । ୪ ବର୍ଷ ହେଲା ପୁଅ ନିଗମ( ୨୦ ବର୍ଷ) ଙ୍କୁ ସ୍ୱେଛାସେବୀ ସଂଗଠନ ସାଇଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ପଢିବାର ବ୍ୟବସ୍ଥା କରାଯାଇଛି । ନିରଞ୍ଜନ ଓ ତାଙ୍କ ସ୍ତ୍ରୀ ଟିକିଙ୍କର ଏବେ ସାହାରା ସାଜିଛନ୍ତି ଗ୍ରାମବାସୀ । ଗ୍ରାମର ଯେତେବେଳେ ଯାହାକୁ ସମୟ ମିଳିଲା ସେ ଆସି ଉଭୟଙ୍କ ସେବା କରୁଛନ୍ତି । ଝାଡା ପରିସ୍ରା କରାଇବା ସହିତ ନିଜ ଘରୁ ଆଣି ଖାଇବାକୁ ଦିଅନ୍ତି ଗ୍ରାମବାସୀ । ସରକାରୀ ସୁବିଧା ଯୋଗାଇ ଦେବାକୁ କୁଜଙ୍ଗ ବିଡିଓଙ୍କୁ ବହୁବାର ଗ୍ରାମବାସୀ କହିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ । ପଞ୍ଚାୟତ ପକ୍ଷରୁ ଏକ ହୁଇଲ ଚେୟାର ଦେଇ କାର୍ଯ୍ୟ ସାରିଥିବା ବେଳେ ଔଷଧ ଟିକିଏ ଖାଇବା ପାଇଁ ନିରଞ୍ଜନ ଙ୍କ ପାଖରେ ସମ୍ବଳ ନାହିଁ । ସରକାର ତଥା କୌଣସି ବଦାନ୍ୟ ବ୍ୟକ୍ତି ସହାୟତା ଯୋଗାଇ ଦେବାକୁ ଭଲଭାବେ କଥା କହିପାରୁନଥିଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ ନିବେଦନ କରିଛନ୍ତି । ଯଦି କୌରସି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇବାକୁ ଚାହୁଁଥାନ୍ତି, ତେବେ ୯୬୫୮୭୬୪୦୩୨ ନମ୍ବରରେ ଯୋଗାଯୋଗ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Related posts

ପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀ

mahabharatanews

ହିଟୱେଭ୍ : ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews

ରାସ୍ତା କଡରୁ ଟିଫିନ ବୋମା ଜବତ

mahabharatanews

Leave a Comment