ଉଦଳା: ଜିରୋ ନାଇଟ ସେଲିବ୍ରେସନ ପାଇଁ ସବୁଠି ଉତ୍ସବର ମାହୋଲ । ୨୦୧୯କୁ ବିଦାୟ ସହିତ ୨୦୨୦ ନବବର୍ଷକୁ ସ୍ୱାଗତ କରିବା ପାଇଁ କେତେ କଣ ଯୋଜନା । ହେଲେ ଏହି ଦିବସକୁ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗକୃତ କରିବା ପାଇଁ ଉଦଳା ୟୁନିକ ପ୍ରେସ କ୍ଲବ କରିଥିଲା ନିଆରା ପ୍ରୟାସ ।
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଓଠରେ ଉଛୁଳୁଥିବା ହସର ଲହରୀ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ପାଳନ କରିଥିଲେ ଜିରୋ ନାଇଟ ସେଲିବ୍ରେସନ । ଉଦଳା ୟୁନିକ୍ ପ୍ରେସ କ୍ଲବ ତରଫରୁ ନୂତନ ବର୍ଷ ୨୦୨୦କୁ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଛି । ଜିରୋ ନାଇଟ ସେଲିବ୍ରେସନ ପାଳନ କରିବା ନିମନ୍ତେ ୟୁନିକ ପ୍ରେସ କ୍ଲବର ସଦସ୍ୟ ପହଁଚିଥିଲେ ଉଦଳା ଭାରତ ଜ୍ୟୋତି ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ । ସେଠାରେ ଏହି ଅବସରରେ ଏକ ସାଂସ୍କୃତିକ ମଞ୍ଚର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଗୌରହରି ମହନ୍ତ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସମେତ ବହୁ ବରିଷ୍ଠ ଅତିଥି ଯୋଗ ଦେଇଥିଲେ । ସେମାନେ ନିଜ ବକ୍ତବ୍ୟରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀଙଙ୍କ ସହିତ ଜିରୋ ନାଇଟ ସେଲିବ୍ରେସନ କରିବାର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହା ସହିତ ନୂଆ ବର୍ଷକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କେକ କଟାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସମସ୍ତଙ୍କ ମନରେ ଥିବା ଉତ୍ସାହ ଏବଂ ଉଦ୍ଦୀପନା କାରଣ ପୂର୍ବରୁ ନୂଆ ବର୍ଷ ପାଳନ ବିଷୟରେ ଶୁଣିଥିବା ବେଳେ ଏହି ରାତିକୁ ମନଭରି ଉପଭୋଗ କରିଥିଲେ ଛାତ୍ରଛାତ୍ରୀ । ଏହା ପରେ ନାଚ ଗୀତରେ ମସଗୁଲ ହୋଇଯାଇଥିଲେ । ଏହା ପରେ ଛାତ୍ରଛାତ୍ରୀମାନେ ଭୋଜି ମଧ୍ୟ କରି ଖାଦ୍ୟ ଖାଇଥିଲେ । ୟୁନିକ ପ୍ରେସ କ୍ଲବର ଏହି ନିଆରା ପ୍ରୟାସକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି ।