(ମହାଭାରତ, ନୂଆଦିଲ୍ଲୀ): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଫଳାଫଳ ପ୍ରକାଶ ପାଇବା ପରେ ହିଂସା ଦେଖିବାକୁ ମିଳିଛି । ମେହରୌଲିର ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ନରେଶ ଯାଦବଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏଥିରେ ନବନିର୍ବାଚିତ ବିଧାୟକ ଜଣକ ସୁୁରକ୍ଷିତ ଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଦଳୀୟ କର୍ମୀଙ୍କ ମୃତ୍ୟୁ ହୋଇଛି । ଏଥିସହିତ ଆଉ ଜଣେ କର୍ମୀ ଆହତ ହୋଇଛନ୍ତି । ମୃତକ କର୍ମୀ ଜଣକ କିଷନଗଡର ଅଶୋକ ମନ ବୋଲି ଜଣାପଡିଛି । ଏହି ଘଟଣାରେ ଦିଲ୍ଲୀ ପୋଲିସ ତିନି ଜଣଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଛି ।
ମଙ୍ଗଳବାର ନିର୍ବାଚନରେ ବିଜୟୀ ହେବା ପରେ ବିଧାୟକ ନରେଶ ଯାଦବ ତାଙ୍କ ନିର୍ବାଚନ ମଣ୍ଡଳୀ ମେହେରୌଲିର ଏକ ମନ୍ଦିରରୁ ଦର୍ଶନ ସାରି ନିଜ କର୍ମୀ ଓ ସମର୍ଥକଙ୍କ ସହ ଫେରୁଥିବା ବେଳେ ତାଙ୍କ ଛାଉଣୀ ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଥିଲେ । ପାଖାପାଖି ୭ ରାଉଣ୍ଡ ଗୁଳି ଚଳାଇଥିଲେ । ଦକ୍ଷିଣ ଦିଲ୍ଲୀର କିଷନଗଡ ଗାଁରେ ଏହି ଘଟଣା ଘଟିଥିବା ବେଳେ ବିଧାୟକଙ୍କ ଗାଡିରେ ମଧ୍ୟ ଗୁଳି ବାଜିଥିଲା । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୋଲିସ ଏହି ମାମଲାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ କିଷନଗଡ ଗାଁର ବୋଲି ଜଣାପଡିଛି । ଗିରଫ ହେବା ପରେ ଅଭିଯୁକ୍ତ ଗୁଳିକାଣ୍ଡରେ ସାମିଲ ଥିବା ନେଇ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି । ଏସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ପୋଲିସ କହିବାନୁଯାୟୀ, ଦୁର୍ବୃତ୍ତମାନେ ବିଧାୟକ ନରେଶଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିନଥିଲେ । ବରଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଦଳର କର୍ମୀ ଅଶୋକ ମନ ଓ ତାଙ୍କ ଭଣଜା ହରେନ୍ଦ୍ରଙ୍କୁ ମାରିବାକୁ ଯୋଜନା କରିଥିଲେ । ଆକ୍ରମଣ ସମୟରେ ଦୁର୍ବୃତ୍ତମାନେ ଅଶୋକଙ୍କ ଅତି ନିକଟକୁ ଯାଇ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ଏଥିରେ ଅଶୋକଙ୍କର ମୃତ୍ୟୂ ହୋଇଥିବା ବେଳେ ତାଙ୍କ ଭଣଜା ହରେନ୍ଦ୍ରଙ୍କ ଦେହରେ ୨ଟି ଗୁଳି ବାଜିଥିଲା ।
ନବ ନିର୍ବାଚିତ ଆପ୍ ବିଧାୟକ ନରେଶ ଯାଦବ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିବା ସହ ପୋଲିସକୁ ଅଧିକ ଖୋଳତାଡ ପାଇଁ ସିସିଟିଭି ଫୁଟେଜ୍ ଦେଖିବାକୁ କହିଛନ୍ତି । ଏହି ଘଟଣାକୁ ରାଜନୈତିକ ମହଲରେ କଡା ନିନ୍ଦା କରାଯାଇଛି ।