ମୁମ୍ବାଇ: ଦେଶର ରାଜଧାନୀ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦେଖାଦେଇଥିବା ହିଂସାରେ ୭ ଜଣଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ମୁମ୍ବାଇକୁ ହାଇ ଆଲର୍ଟରେ ରଖାଯାଇଛି । ମହାରାଷ୍ଟ୍ର ଗୃହମନ୍ତ୍ରଣାଳୟର ଅଧିକାରୀଙ୍କ ମୁତାବକ, ଦିଲ୍ଲୀ ହିଂସା ପରେ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି । ରାଜ୍ୟ ପୁଲିସ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପ୍ରଦିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛି । ଆଜାଦ ମୈଦାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କୌଣସି ପ୍ରକାରର ଧାରଣା, ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଅଧିକାରୀ ସୂୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀର ମୌଜପୁର ଓ ଜାପରାବାଦରେ ସିଏଏ ବିରୋଧୀ ଓ ସମର୍ଥକକାରୀଙ୍କ ପ୍ରଦର୍ଶନ ବେଳେ ରବିବାର ରାତିରେ ହିଂସା ଦେଖା ଦେଇଥିଲା । ପ୍ରାରମ୍ଭିକ ସ୍ଥିତିରେ ପ୍ରଦର୍ଶନକାରୀ ପଥର ମାଡ କରିଥିଲେ । ଏହାପରେ ପୁଲିସ ଭିଡକୁ ଘଉଡାଇବା ଲକ୍ଷ୍ୟରେ ଲୁହାବୁହା ଗ୍ୟାସ ଓ ଲାଠି ଚାର୍ଜ କରିଥିଲା । କିନ୍ତୁ ଗତକାଲି ଏହି ହିଂସା ଉଗ୍ର ହୋଇଯାଇଥିଲା । ଲୋକେ ଯାନବାହନରେ ନିଆଁ ଲଗାଇବା ସହ ପୁଲିସ ଉପରକୁ ପଥର ମାଡ କରିଥିଲେ । ଫଳରେ ଏହି ହିଂସାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଜଣେ ପୁଲିସ କନେଷ୍ଟବଳ ଅଛନ୍ତି । ଏହି ହିଂସାରେ ୧୦୦ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି ।