(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି । ଏପରିସ୍ଥଳେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି । କଂଗ୍ରେସ ପକ୍ଷରୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦିଲ୍ଲୀ ହିଂସାକାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି । ଏହି ହିଂସାକାଣ୍ଡ ପାଇଁ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଦିଲ୍ଲୀ ହିଂସା ପାଇଁ ଉତ୍ତରଦାୟୀ ଏବଂ ଏଥିପାଇଁ ସେ ପଦରୁ ଇସ୍ତଫା ଦେବା ଦରକାର ବୋଲି ବୁଧବାର ଦଳୀୟ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋନିଆ ଯୋଗ ଦେଇ କହିଛନ୍ତି । ସେ ଆହୁରି କହିଛନ୍ତି ଜାଣିଶୁଣି ଦେଶର ରାଜଧାନୀରେ ଏଭଳି ହିଂସା ଓ ଘୃଣାର ପରିବେଶ ସୃଷ୍ଟି କରାଯାଇଛି । ହିଂସା ପଛରେ ସାଂଘାତିକ ଷଡଯନ୍ତ୍ର ରହିଛି । ବିଜେପି ନେତା ନିଜର ଭାଷଣ ମାଧ୍ୟମରେ ଭୟ ଓ ଘୃଣାର ପରିବେଶ ସୃଷ୍ଟି କରୁଛନ୍ତି । ଏଭଳି ସ୍ଥିତି ପାଇଁ ବିଜେପି ଦାୟୀ । ତେବେ ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି)ର ବୈଠକ ବସିଥିଲା । ଏଥିରେ ଦିଲ୍ଲୀ ହିଂସା ସମ୍ପର୍କରେ ଆଲୋଚନା ହୋଇଥିଲା ।
ସାମ୍ବାଦିକ ସମ୍ମିଳନୀ ବେଳେ ଦିଲ୍ଲୀ ହିଂସାରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ବେଳେ ପୋଲିସ କେବଳ ନୀରବ ଦର୍ଶକ ସାଜିଥିବା ସୋନିଆ କହିଛନ୍ତି । ଦିଲ୍ଲୀର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ୨୦ ଜଣଙ୍କର ଜୀବନ ଯିବା ପରେ ମଧ୍ୟ ଦିଲ୍ଲୀ ପୋଲିସ ଚୁପ ବସିଛି । ରାସ୍ତାରେ ନିଆଁ ଜଳୁଛି । ତଥାପି ପୁଲିସ ନୀରବତା ଅବଲମ୍ବନ କରୁଛି । ରାଜଧାନୀରେ ନିଆଁ ଜଳିବା ବେଳେ କେଜ୍ରିୱାଲ କୁୁଆଡେ ଯାଇଥିଲେ ବୋଲି ଦିଲ୍ଲୀ ପୋଲିସ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ ।