ଓଡିଶା

ଧିମେଇ ପଡିଛି ଟିକିରା ସେତୁ ନିର୍ମାଣ

(ମହାଭାରତ, କଣିହାଁ): ଅନୁଗୋଳ ଜିଲ୍ଲାର ଶିଳ୍ପ ସମୃଦ୍ଧ ଭାବରେ ପରିଚିତ କଣିହାଁ ବ୍ଲକ୍ ଗଦାଶିଳା ପଂଚାୟତରେ ଗମନାଗମନ ଭଳି ମୈାଳିକ ସୁବିଧାରେ ସୁଧାର ଆସିନାହିଁ । ୪ଟି ପଞ୍ଚାୟତର ଲୋକଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଗତ ନିର୍ବାଚନରେ ସ୍ଥାନୀୟ ଅଧିବାସୀଙ୍କ ସେତୁ ନିର୍ମାଣ ନେଇ ମନ୍ତ୍ରୀ, ବିଧାୟକ ଭୋଟ୍ କୁ ହାତେଇବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଅଞ୍ଚଳରେ ସେତୁ ନିର୍ମାଣ ଏକ ପ୍ରମୁଖ ସମସ୍ୟା ହୋଇଛି । ଏଠାରେ ପୋଲ ତିଆରି ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କରଡେଇ ନଦୀ ଘାଟ ନିକଟରେ ସେତୁ ଭିତ୍ତିପ୍ରସ୍ତର ପାଇଁ ବିରାଟ ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ବିଜୁ ସେତୁ ଯୋଜନାରେ ସାମିଲ କରାଯାଇ କରଡ଼େଇ-ବୁରୁବାହାଳ ଟିକିରା ସେତୁ ରୁପେ ନାମକରଣ କରାଯାଇ ଶିଳାନ୍ୟାସ କରାଯାଇଥିଲା । ଇତି ମଧ୍ୟରେ ୧୬ ମାସ ବିତିଲାଣି । ଆଜି ସୁଧା ନଦୀର ଉଭୟ ପାଶ୍ୱର୍ରେ ଦୁଇ ପୋଲ ନିର୍ମାଣାଧୀନ ଅବସ୍ଥାରେ ଅଛି ।

୨୦୨୦ ମାର୍ଚ୍ଚ ସୁଦ୍ଧା ଏହି ପୋଲ ନିର୍ମାଣ ସରିବା ନେଇ ପ୍ରକାଶ ପାଇଥିବା ସରକାରୀ ନିର୍ଦ୍ଦେଶନାମାକୁ ଠିକାଦାର ‘ଫୁ’ କରିଦେଇଛନ୍ତି । ନଦୀର ଗୋଟିଏ ପାଶ୍ୱର୍ରୁ ମାତ୍ର ୭୦ମିଟର ମାଟି ବିଛାଯାଇଛି, ଯାହାକି ପ୍ରକଳ୍ଫର ୩୦ ପ୍ରତିଶତ ମଧ୍ୟ ହେବ ନାହିଁ । ସେତୁ ନିର୍ମାଣ କାମ ଆଗେଇ ନଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ ନୀରବତା ତଥା ଅପରାଗତା ପଦାରେ ପଡିଥିବା ବୁଦ୍ଧଜିବୀମାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ଅଞ୍ଚଳବାସୀ ସେତୁ କାମ କେବେ ସଂପୁର୍ଣ୍ଣ ହେବ ଏବଂ ଅସରୁକ୍ଷିତ ଭାବରେ ପ୍ରତିଦିନ ଡଙ୍ଗାରେ ଯାତାୟତରୁ କେବେ ମୁକ୍ତି ମିଳିବ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପ୍ରକାଶ ଯୋଗ୍ୟ ଯେ, କଣିହାଁ ବ୍ଲକର ପ୍ରାୟ ୪ ଟି ପଞ୍ଚାୟତ ବର୍ଷସାରା ନଦୀ ପାର ହେବା ନେଇ ବହୁ ହଇରାଣ ହରକତ ହେଉଥିଲେ । ଫଳରେ ଅଞ୍ଚଳବାସୀ ଏବଂ ଉଭୟ ପାଳଲହଡ଼ା ବିଧାୟକ ମହେଶ ସାହୁ ଏବଂ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉଦ୍ୟମ କ୍ରମେ ସାଢେ ୧୦ କୋଟି ଟଙ୍କାରେ ଗତ ସେପ୍ଟେମ୍ବର ୧୫ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା କରଡ଼େଇ ଘାଟଠାରେ ସେତୁର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ସେତୁ ନିର୍ମାଣ ୨୦୨୦ ମାର୍ଚ୍ଚ ସୁଦ୍ଧା ସାରିବାକୁ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ଅଞ୍ଚଳବାସୀଙ୍କ ମନରେ ନୂତନ ଆଶା ସଂଚାର ହୋଇଥିଲା । ଦୀର୍ଘ ୧୬ ମାସ ପରେ ଅଦ୍ୟାବଧି ସେତୁ ନିର୍ମାଣର ପ୍ରାୟ ୩୦ପ୍ରତିଶତ କାମ ନ ସରିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିର୍ଦ୍ଧାରିତ ସମୟ (୨୦୨୦ ମାର୍ଚ୍ଚ) ସରିବାକୁ ଆଉ ଦେଢ ମାସ ସମୟ ଥିବା ବେଳେ ଏବେ ନଦୀ ତଟ ବର୍ତ୍ତୀ ଗ୍ରାମବାସୀମାନେ ସେତୁ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେତୁ ତିଆରିରେ ଏଭଳି ବିଳମ୍ବକୁ ନେଇ ସମ୍ପୃକ୍ତ ବିଭାଗ ଓ ମନ୍ତ୍ରୀଙ୍କ ଆଡକୁ ଅଞ୍ଚଳବାସୀ ଅଙ୍ଗୁଳି ଉଠାଇଛନ୍ତି । ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ସରକାରୀ କଳର ଏହା ନିର୍ବାଚନୀ ଥୋପ ଥିଲା ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି । ଏସମ୍ପର୍କରେ ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ପଚାରିବାରୁ କାମ ଚାଲିଥିବା କହି କଥାକୁ ଏଡାଇ ଦେଇଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ଠିକାଦାର ଏହି କାମ ନେଇଛନ୍ତି । ତାଙ୍କ ପାଖରେ ବଡ଼ ବଡ଼ ପୋଲ ତିଆରି କରିବା ପାଇଁ ଅଭିଜ୍ଞତା ନାହିଁ । ପାଣି ଭିତରେ ପିଲର ଗଢିବା ପାଇଁ ଯନ୍ତ୍ରାଂଶ ନଥିବାରୁ ସେ ଅନ୍ୟଜଣେ ଠିକାଦାରଙ୍କୁ ମାଗି ଯାଚି କାମ କରୁଥିବା ଜଣାପଡିଛି । ନିୟମିତ କାମ ନ କରିବା, ଆବଶ୍ୟକୀୟ ଯନ୍ତ୍ରାଂଶ ନଥିବା ଯୋଗୁ ସେତୁ ନିର୍ମାଣ ଧିମାରେ ଚାଲିଛି ଏବଂ ଏଥି ସହିତ ନିମ୍ନ ମାନର କାମ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଠିକାଦାରଙ୍କର ବଡ଼ ବଡ଼ ପୋଲ କରିବାର ଅଭିଜ୍ଞତା ନାହିଁ ତାକୁ କିଭଳି ଏହି ସେତୁ ନିର୍ମାଣ କାମ ଦିଆଯାଇଛି । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଠିକାଦାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସଂପୃକ୍ତ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତରା ଓ ନେତାଙ୍କ ବାହୁ ଛାୟା ତଥା ଅହେତୁକ ଅନୁକମ୍ପା ଯୋଗୁ ପ୍ରଥମେ କାର୍ଯ୍ୟ ହାତକୁ ନେବା ଓ ଜାଣିଶୁଣି ସେତୁ କାମ ବିଳମ୍ବ କରି ସରକାରୀ ଅର୍ଥ ଲୁଟ୍ କରିବା ଏକମାତ୍ର ଉଦ୍ଦେଶ୍ୟ ବୋଲି ବିଭିନ୍ନ ଠିକାଦର ସଂଘ ମତ ଦେଇଛନ୍ତି ।

Related posts

ଭଦ୍ରକରେ ୧୪୪ ଧାରା 

mahabharatanews

ବାସନ ମାଜିବାକୁ ଯାଇ ନଦୀରେ ବୁଡିଗଲେ ମହିଳା

mahabharatanews

ଲଢେଇ ହେତୁ ଆଖିବୁଜିଲା ୭ ମାସର ହାତୀ ଛୁଆ

mahabharatanews

Leave a Comment