(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ କାର୍ଯ୍ୟରତ ନର୍ସଙ୍କୁ ଜଣେ ରୋଗୀଙ୍କ ଦୁଇ ଆଟେଣ୍ଡାଣ୍ଟ (ସମ୍ପର୍କୀୟ) ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ନର୍ସ ଜଣଙ୍କ ଆହତ ହେବା ପରେ ହସ୍ପିଟାଲ ପରିସରରେ ଥିବା ଥାନାରେ ଅଭିଯୋଗ କରିଛନ୍ତି । ଆହତ ନର୍ସ ଜଣକ ପ୍ରତିମା ପ୍ରଧାନ ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁ୍କ୍ତମାନଙ୍କୁ ଗିରଫ କରିବା ପାଇଁ ଡାକ୍ତରଖାନାର ଷ୍ଟାଫ ନର୍ସ ସଂଘ ଦାବି କରିଛି । ଏହାସହ ନର୍ସମାନେ କାର୍ଯବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ଅଭିଯୁକ୍ତ ଗିରଫ ନହେଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ନର୍ସମାନେ କହିଛନ୍ତି ।
ସୂଚନା ଅନୁଯାୟୀ, ଗତ ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ଜଣେ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ଅର୍ଥୋପେଡିକ ୱାର୍ଡରୁ ମେଡିସିନ ୱାର୍ଡକୁ ଆଣିଥିଲେ । ଏତିକି ବେଳେ ରୋଗୀଙ୍କ ଆଟେଣ୍ଡାଣ୍ଟ ତୁରନ୍ତ ଏକ ବେଡ୍ ଯୋଗାଇ ଦେବାକୁ ନର୍ସ ପ୍ରତିମା ପ୍ରଧାନଙ୍କୁ କହିଥିଲେ । ନର୍ସ ଜଣକ ସେଥିପାଇଁ ଅପେକ୍ଷା କରିବାକୁ କହିଥିଲେ । କିନ୍ତୁ ଆଟେଣ୍ଡାଣ୍ଟ ନ ମାନି ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ । ଏପରି କରିବାକୁ ନର୍ସ ଜଣକ ମନା କରିଥିିଲେ । ଏହାକୁ ନେଇ ରୋଗୀଙ୍କ ଦୁଇ ସମ୍ପର୍କୀୟଙ୍କ ସହ ନର୍ସ ପ୍ରତିମାଙ୍କ ସହ ବଚସା ମଧ୍ୟ ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ସେମାନେ ନର୍ସଙ୍କୁ ମାଡ ମାରିଥିଲେ । ଏଥିରେ ନର୍ସଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ବିଶେଷ କରି ତାଙ୍କ ଆଖି ଜାମୁଆ ପଡିଯାଇଛି । ଏହି ଆକ୍ରମଣ ପରେ ନର୍ସ ଜଣଜ ଟାଉନ ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତ ଆଟେଣ୍ଡାଣ୍ଟ ଦ୍ୱୟଙ୍କୁ ଗିରଫ କରିବା ପାଇଁ ନର୍ସମାନେ ଦାବି କରିଛନ୍ତି ।
ଏହି ଆକ୍ରମଣ ପ୍ରତିବାଦରେ ହସ୍ପିଟାଲ ଷ୍ଟାଫ ନର୍ସ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ତେବେ ହସ୍ପିଟାଲରେ ବହୁ କମ ସଂଖ୍ୟକ ନର୍ସଙ୍କୁ ନେଇ ରୋଗୀ ସେବା ଚାଲୁଛି । ଏପରି ସ୍ଥଳେ ଜଣେ କାର୍ଯ୍ୟରତ ନର୍ସଙ୍କୁ ଆକ୍ରମଣ ହୋଇଥିବାରୁ ନର୍ସମାନେ ନିଜକୁ ସୁରକ୍ଷିତ ମନେ କରୁନଥିବା କହିଛନ୍ତି ।
