(ମହାଭାରତ, କେଉଁଝର): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ନନ୍ଦନବେଡା ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟି ଯାଇଛି । ଏଠାରେ ଏକ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେବା ପରେ ସନ୍ତାନ ଜନ୍ମ ଦେବାରୁ ତାର ପରିବାର ଲୋକଙ୍କୁ ଗାଁ ଲୋକେ ନିଆଁପାଣି ବାସନ୍ଦ କରିଛନ୍ତି । ଏ ସମ୍ପର୍କରେ ଖବର ପାଇ କେଉଁଝର ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ୱାନ ଷ୍ଟପ ସେଣ୍ଟରର ପ୍ରଶାସିକା ଓ ପୋଲିସ ଉଭୟ ପୀଡିତା ଓ ଅଭିଯୁକ୍ତର ପରିବାରକୁ ବୁଝାସୁଝା କରିଛନ୍ତି ।
ସୂଚନା ଅନୁଯାୟୀ, କିଛି ମାସ ତଳେ ଏହି ଗାଁର ନାବାଳିକା ସୁସ୍ମିତା ପାତ୍ର ଛେଳି ଚରାଇବାକୁ ଯାଇଥିବା ବେଳେ ସମ୍ପର୍କୀୟ ଦାଦା ପୁଅ ଭାଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ତାଙ୍କ ବାପା ଅଭିଯୁକ୍ତଙ୍କ ନାଁରେ ଘଟଗାଁ ଥାନାରେ ଏତଲା ଦେଇଥିଲେ । ତେବେ ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ ତାଙ୍କୁ ସଜା ଦିଆ ନଯାଇ ବାଳାଶ୍ରମ ପଠାଇ ଦିଆଯାଇଥିଲା । କିନ୍ତୁ ନାବାଳିକା ଜଣକ ଗର୍ଭବତୀ ଥିବାରୁ ଗତ ୬ ତାରିଖରେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କେଉଁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗତ ୮ ତାରିଖରେ ପୀଡିତା ନାବାଳିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଘରକୁ ଫେରିବା ପରେ ନାବାଳିକାଙ୍କ କୋଳରେ ନବଜାତ ଶିଶୁଟିକୁ ଦେଖି ଗାଁ ଲୋକେ ଅନେକ ଟାହି ଟାପରା କରିଥିଲେ । ଏପରିକି ଦୁଷ୍କର୍ମକାରୀ ନାବାଳକର ମା’ ଏହାକୁ ସହି ନପାରି ନାବାଳିକାକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଗାଁରେ ସଭା ଡାକି ପୀଡିତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏ ବିଷୟରେ କାହାକୁ ଜଣାଇଲେ ୨୦ ହଜାର ଜରିମାନା ଦେବାକୁ ମଧ୍ୟ କୁହାଯାଇଥିଲା । କୌଣସି ସୂତ୍ରରୁ ଏହି ଘଟଣା ବିଷୟରେ କେଉଁଝର ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ୱାନ ଷ୍ଟପ ସେଣ୍ଟର ଖବର ପାଇଥିଲା । ତେବେ ଏହି ଘଟଣାକୁ ଆଗକୁ ବଢିବାକୁ ନଦେବା ପାଇଁ ଉଭୟ ପରିବାରର ଲୋକଙ୍କୁ ସଂଗଠନର ପ୍ରଶାସିକା ଐଶ୍ୱର୍ଯ୍ୟା ସଂଘମିତ୍ରା ଦାସ ଓ ପୋଲିସ ବୁଝାଇଥିଲେ । ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଏବଂ ଏଭଳି ଘଟଣା ନ ଘଟିବା ପାଇଁ ସଚେତନା ସୃଷ୍ଟି କରାଗଲେ ସମାଜରେ ଆଗାମୀ ଦିନରେ ନିଶ୍ଚିତ ପରିବର୍ତ୍ତନ ଦେଖାଦେବ ବୋଲି ସେ କହିଛନ୍ତି ।