ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ର୍ନିଭୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ଦୋଷୀଙ୍କ ଡେଥ ୱାରେଣ୍ଟ ଉପରେ ରୋକ୍ ଲଗାଇବାକୁ ଦାଖଲ ହୋଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି । ଏଥିପାଇଁ ଦୋଷୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ ହାଇକୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି ଯେ, ଫାଶୀ ଦଣ୍ଡକୁ ବିଳମ୍ବିତ କରିବାକୁ ଜାଣିଶୁଣି ଅଦାଲତରେ ନିବେଦନ କରାଯାଉଛି । କୋର୍ଟଙ୍କ ଏହି କଠା ଆଭିମୁଖ୍ୟ ପରେ ମଧ୍ୟ ମଧ୍ୟ ଦୋଷୀଙ୍କୁ ୨୨ରେ ଫାଶୀ ଦେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଦୋଷୀ ମୁକେଶର କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଷ୍ଟ୍ରପତିଙ୍କଠାରେ ରାଜକ୍ଷମା ନିବେଦନ କରିଛି । ଦିଲ୍ଲୀ ସରକାରଙ୍କ ଓକିଲ ଏହା ମଧ୍ୟ ତର୍କ ଦେଇଛନ୍ତି ଯେ, ଯଦି ବି ରାଷ୍ଟ୍ରପତି ରାଜକ୍ଷମା ନିବେଦନ ଖାରଜ କରି ଦିଅନ୍ତି ତେବେ ବି ଦୋଷୀଙ୍କୁ ୧୪ ଦିନର ସମୟ ମିଳିବ ।
ଦୋଷୀ ପକ୍ଷର ଓକିଲ ହାଇକୋର୍ଟରେ କହିଛନ୍ତି ଯେ, ସେମାନଙ୍କର ମହକିଲ ରାଷ୍ଟ୍ରପତିଙ୍କଠାରେ ରାଜକ୍ଷମା ନିବେଦନ କରିଛନ୍ତି । ରାଜକ୍ଷମା ଯଦି ଖାରଜ ହୋଇଯାଏ ତେବେ ବି ଫାଶି ପୂର୍ବରୁ ଦୋଷୀଙ୍କୁ ୧୪ ଦିନର ସମୟ ମିଳିବ । ଏହା ଉପରେ ସରକାରୀ ଓକିଲ ମଧ୍ୟ କୌଣସି ଆପତ୍ତି କରିନଥିଲେ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଜର ଓକିଲ ଏଏସଜି କହିଛନ୍ତି ଯେ, ରାଜକ୍ଷମା ନିବେଦନ ଖାରଜ ପରେ ନିୟମ ଅନୁସାରେ ଦୋଷୀଙ୍କୁ ୧୪ ଦିନର ସମୟ ଦିଆଯାଇଥାଏ । ରାଷ୍ଟ୍ରପତିଙ୍କ ନିକଟକୁ ମୁକେଶ ନିଜର ରାଜକ୍ଷମା ନିବେଦନ ପାଇଁ ଜେଲ୍ ପ୍ରଶାସନକୁ ପତ୍ର ଦେଇଛି ।