ଭୁବନେଶ୍ୱର: ପୁଣି ଆକ୍ଟିଭ ହେବ ରାଜଧାନୀରେ ଡ୍ରୋନ କ୍ୟାମେରା । ରାଜଧାନୀରେ ବୃଦ୍ଧିପାଉଥିବା ଛିନତାଇ, ଲୁଟ, ନିଶା କାରବାର କମିଶନରେଟ ପୁଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏହା ବ୍ୟତୀତ ରାଜଧାନୀର ଟ୍ରାଫିକ ସମସ୍ୟା ମଧ୍ୟ ଗାଡି ସଂଖ୍ୟା ସହ ତାଳ ଦେଇ ବଢିଚାଲିଛି । ଏସବୁ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିବାକୁ ରାଜଧାନୀରେ ଉଡିବ ୨୪ ଘଣ୍ଟିଆ ଡ୍ରୋନ କ୍ୟାମେରା । କ୍ୟାମେରାରେ ରାଜଧାନୀର ଚିତ୍ର କଏଦ ହେବ ଓ ଆବଶ୍ୟକ ସ୍ଥଳରେ ପୁଲିସ ସହାୟତା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେଣୁ ଏହି ପଇଁତରା ପାଇଁ କମିଶନରେଟ ପୁଲିସ ୧୫ଟି ଅତ୍ୟାଧୁନିକ ଡ୍ରୋନ କିଣିବ ଦେଢ କୋଟି ଟଙ୍କାରେ । କମିସନରେଟ୍ ପୁଲିସର ମଡର୍ଣ୍ଣ କେତଣ୍ଟ୍ରାଲ୍ ରୁମ୍ ଅଧୀନରେ ରହିବ ଏକ ଡ୍ରୋନ୍ ହବ୍। ରାଜଧାନୀ ଆକାଶରେ ସବୁ ସମୟରେ ୩ଟି ଡ୍ରୋନ୍ ପଇଁତରା ମାରିବ । କୋଣ୍ଟ୍ରାଲ୍ ରୁମ୍ ଅଧୀନରେ ପିସିଆର୍ ଭ୍ୟାନ୍ କାର୍ୟ୍ୟ କରିବା ପରି ଏହି ଡ୍ରୋନ କାର୍ଯ୍ୟ କରିବ । ଡାଏଲ୍-୧୦୦ ମାଧ୍ୟମରେ କୌଣସି ସୂଚନା ମିଳିବା କ୍ଷଣି ସେଠାକୁ ଡ୍ରୋନକୁ ପଠାଯାଇ ସେଠାର ଚିତ୍ର ଉତ୍ତୋଳନ କରି କଣ୍ଟ୍ରୋଲ ରୁମକୁ ସେସବୁ ପଠାଇବ ଓ ପୁଲିସ ତୁରନ୍ତ ପଦକ୍ଷେପ ନେବ । ଏନେଇ ଆବଶ୍ୟକ ୧୫ଟି ଡ୍ରୋନ କ୍ୟାମେରା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।
ରାଜଧାନୀର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜ୍ଭୁତ୍ କରିବା ଲାଗି ଏଭଳି ଏକ ଅତ୍ୟାଧୁନିକ ପଦକ୍ଷେପ ନେବାକୁ କମିସନରେଟ୍ ପୁଲିସ ନିଷ୍ପତ୍ତି ନେଇଛି। ରାଜଧାନୀରେ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ, ଭିଆଇପିଙ୍କ ବାସସ୍ଥାନ ଏବଂ ବହୁ ସମୟରେ ଭିଭିଆଇପି ଆସୁଥିବାରୁ ଏସବୁର ଆବଶ୍ୟକତା ରହିଛି। ସହରର ପ୍ରମୁଖ ଛକ ଗୁଡ଼ିକରେ ସିସିଟିଭି ରହିଛି। ଏହା ସତ୍ତ୍ବେ ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି। ସେସବୁ ସ୍ଥାନ ଗୁଡ଼ିକ ଉପରେ ମଧ୍ୟ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଇପାରିବ। ଜାତୀୟ ରାଜପଥର
ଓଭରବ୍ରିଜ୍ ଏବଂ ଅନ୍ୟାନ୍ୟ ସ୍ଥାନ ଉପରେ ଡ୍ରୋନ୍ ନଜର ରଖିପାରିବ। ଦୁର୍ଘଟଣାସ୍ଥଳକୁ ଅତ୍ୟନ୍ତ କମ ସମୟରେ ଡ୍ରୋନ୍ ପହଞ୍ଚିପାରିବ। ସବିଶେଷ ତଥ୍ୟ ମିଳିବା ପରେ ପୁଲିସ ସେହି ହିସାବରେ ତ୍ବରିତ୍ କାର୍ୟ୍ୟାନୁଷ୍ଠାନ କରିପାରିବ।
