ଓଡିଶା

ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଅନିୟମିତତା

ନିଶ୍ଚିନ୍ତକୋଇଲି: ଠିକାଦାରଙ୍କ ଲେଉଟିଆ କିଆରୀରେ ପରିଣତ ହୋଇଥିବା ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି-କୋରୁଆ ପୂର୍ତ୍ତବିଭାଗ ରାସ୍ତାର ଦୁର୍ନୀତି ଓ ଅନିୟମିତତା ପଦାରେ ପଡ଼ିଛି । ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯିବା ସହ ଅଟକଳ ଅନୁଯାୟୀ କାର୍ଯ୍ୟ କରାଯାଇନଥିବା ହେତୁ ବିଭାଗୀୟ ଅଧିକାରୀ ଠିକାଦାରଙ୍କ ବିଲ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେବା ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଲେପୁର ପୂର୍ତ୍ତବିଭାଗ ଅଧୀନରେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି-କୋରୁଆ ପୂର୍ତ୍ତବିଭାଗ ରାସ୍ତା ରହିଛି । ଏହି ରାସ୍ତାଟି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ସଂଯୋଗ କରୁଛି । ଏହି ରାସ୍ତା ଉପରେ ଗମନାଗମନ କରିବା ନିମନ୍ତେ ନିଶ୍ଚିନ୍ତକୋଇଲି, ଡ଼େରାବିଶ, ମାହାଙ୍ଗା, ତିର୍ତ୍ତୋଲ, ଗରଦପୁର ପ୍ରଭୃତି ବ୍ଲକର ଶହ ଶହ ଲୋକ ନିର୍ଭର କରିଥାନ୍ତି । ଏହି ରାସ୍ତା ଉପରେ ଦୈନିକ ଶହ ଶହ ବସ, ଟ୍ରକ, ଚାରିଚକିଆ ଯାନ ଯାଆସ କରିଥାଏ । ଏପରିକି ପ୍ରସିଦ୍ଧ ଝଙ୍କଡ଼ ମା’ ଶାରଳା, ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠକୁ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଭକ୍ତ ଏହି ରାସ୍ତା ଦେଇ ଯାଆ ଆସ କରିଥାନ୍ତି । ଏହି ରାସ୍ତାର ନରେନ୍ଦ୍ରପୁର ଠାରୁ ମନାନଗଡ଼ା ପର୍ଯ୍ୟନ୍ତ ୬କିଲୋମିଟର ରାସ୍ତା ନିର୍ମାଣ କରାଯିବା ନିମନ୍ତେ ୪କୋଟିରୁ ଊଦ୍ଧ୍ୱର୍ ଟଙ୍କା ମଞ୍ଜୁର ହୋଇଥିଲା । ଟେଣ୍ଡର ଅନୁଯାୟୀ ଠିକାଦାର ଚୟନ କରାଯାଇଥିଲା । ଅତ୍ୟନ୍ତ ମନ୍ଥର ଗତିରେ ନିର୍ମାଣାଧୀନ ଥିବା ଏହି ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଉଥିବାର ଅଭିଯୋଗ ହୋଇଥିଲା । ଏପରିକି ଅଟକଳ ଅନୁଯାୟୀ ଏହି ରାସ୍ତା ନିର୍ମାଣ କରାଯାଉନଥିବାର ଅଭିଯୋଗ ହୋଇଥିଲା । ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଉଥିବା ହେତୁ ରାସ୍ତାର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା । ଏପରିକି ଠିକାଦାର ମନମୁଖୀଭାବେ କାର୍ଯ୍ୟ କରୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଏହାର ତଦାରଖ କରୁନଥିବାର ଅଭିଯୋଗ ହୋଇଥିଲା । ସେହିପରି ଭାବେ ରାସ୍ତାରେ ପାଣି ସିଞ୍ଚନ କରାଯାଉନଥିବା ହେତୁ ସ୍ଥାନୀୟ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ଠିକାଦାର ଅନ୍ୟତ୍ର ମାଟି ଆଣି ରାସ୍ତା ପାଶ୍ୱର୍ରେ ପକାଇବାର ନିୟମ ରହିଥିଲା ବେଳେ କିନ୍ତୁ ସେ ରାସ୍ତା ପାଶ୍ୱର୍ରେ ଥିବା କେନାଲ ବନ୍ଧରୁ ମାଟି ତାଡ଼ି ଆଣି ପକାଉଥିବାର ଅଭିଯୋଗ ହୋଇଥିଲା । ଏପରିକି ଏହି ରାସ୍ତାର ନରେନ୍ଦ୍ରପୁର ଠାରୁ ଦାଉଦପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହୋଇଛି । ଟିକିଏ ବର୍ଷା ହେଲେ ଏହି ଗର୍ତ୍ତରେ ପାଣି ଜମିରହି ଦୁର୍ଘଟଣା ଘଟୁଛି । ରାସ୍ତାର ଅବସ୍ଥା ଶୋଚନୀୟ ହେତୁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛିା ଏପରିକି ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଗ୍ରାମ ଗୁଡ଼ିକୁ ଦମକଳ ଗାଡ଼ି କିମ୍ବା ଆମ୍ବୁଲାନସ ଯାଇଆସି ପାରୁନାହିଁ । ଫଳରେ ବହୁ ସମୟରେ ଗର୍ଭବତୀ ପ୍ରସୂତି ମହିଳା , ରୋଗାଗ୍ରସ୍ତ ଲୋକ ଓ କୋମଳମତୀ ଶିଶୁମାନେ ଡ଼ାକ୍ତରଖାନାକୁ ଯିବା ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

Related posts

କାଲିଠୁ ରାଜ୍ୟରେ ଦିଆଯିବ ବୁଷ୍ଟର ଡୋଜ୍

mahabharatanews

 ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ୍

mahabharatanews

ଉଦଳା ଗୌଡ଼ୀୟ ମଠରେ ଜନ୍ମାଷ୍ଟମୀ ପାଳିତ

mahabharatanews

Leave a Comment