(ମହାଭାରତ, ରାଇରଙ୍ଗପୁର): ବକେୟା ବିଦ୍ୟୁତ ବିଲ୍ ନଦେବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ଯାଇଥିବା ନେସ୍କୋ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖୁଣ୍ଟା ନୂଆପଡା ଗାଁରେ ଗତ ସୋମବାର ଏଭଳି ଘଟଣା ଘଟିଛି । ଗାଁର ରାମକୃଷ୍ଣ ନାୟକଙ୍କ ପରିବାର ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେମାନଙ୍କ ଆକ୍ରମଣରେ ନେସ୍କୋ ଏସଡିଓ ପ୍ରଶାନ୍ତ ମାନ୍ନା ଓ ଲାଇନ ମ୍ୟାନ୍ ଦିପ୍ତିକାନ୍ତ ଭୁୟାଁ ଆହତ ହୋଇଛନ୍ତି । ଏପରିକି ଏହି ଘଟଣାରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଏହି କର୍ମଚାରୀଙ୍କୁ ୩ ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ । ସୂଚନା ଅନୁଯାୟୀ, ନୂଆପଡା ଗାଁର ରାମକୃଷ୍ଣ ନାଏକ ବିଦ୍ୟୁତ ବିଲ ପଇଠ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ତେବେ ଏହି ସମୟରେ ରାମକୃଷ୍ଣଙ୍କ ପରିବାର ଲୋକେ ମିଳିତ ଭାବେ ନେସ୍କୋ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କୁ ଅଟକ ରଖିଥିଲେ । ଖବର ପାଇ ବିଭାଗୀୟ ଅଧିକାରୀ ଓ ଖୁଣ୍ଟା ଥାନା ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ଏନେଇ ଖୁଣ୍ଟା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
previous post
next post