ଭୁବନେଶ୍ୱର: ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସ୍ନାନ ପାଇଁ ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ବିଜେକଲେ ଚତୁର୍ଦ୍ଧା ମୂର୍ତ୍ତି । ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ବିଶ୍ୱବାସୀଙ୍କୁ ଧଳା ଓ କଳା ହାତୀବେଶରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେଇଛନ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିବା ପରେ ହାତୀବେଶରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ସବୁ କାର୍ଯ୍ୟ ବିଧି ମୁତାବକ ହୋଇଛି । ଖାଲି ଯାହା ଭକ୍ତଙ୍କ ଭିଡ ନାହିଁ ।
ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ମହାପ୍ରଭୁଙ୍କ ହାତୀ ବେଶ ସମ୍ପନ୍ନ ହୋଇଛି। ଏଠାରେ ବି ୧୪୪ଧାରା ଜାରି କରାଯାଇଥିଲା। କୌଣସି ଭକ୍ତଙ୍କୁ ଆସିବାର ଅନୁମତି ଦିଆ ଯାଇ ନ ଥିଲା। ବାଲେଶ୍ୱରରେ, ରାଉରକେଲା ସେକ୍ଟର ୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିରରେ, ଜୟପୁରସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି।
ଚଳିତ ବର୍ଷ କରୋନା ମହାମାରୀ ପାଇଁ ପ୍ରଭୁଙ୍କ ସ୍ନାନ ଯାତ୍ରା ଭକ୍ତ ବିହିନ ସମାପନ ହୋଇଛି । ଟେଲିଭିଜନ ସ୍କ୍ରିନରେ ଭକ୍ତ ପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାର ସୌଭାଗ୍ୟ ଲାଭ କରି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶୀଘ୍ର ମହାମାରୀ କରୋନା କବଳରୁ ଜଗତକୁ ରକ୍ଷା କରନ୍ତୁ, ତାଙ୍କ ରଥ ଯାତ୍ରାକୁ ଭକ୍ତ ମେଳିରେ ହେବାର ସୁଯୋଗ ପ୍ରଦାନ କରନ୍ତୁ ।
previous post