ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: କମ୍ ଟଙ୍କା ହେଉପଛେ କାମଟେ ଦିଅ ବୋଲି କାକୁତି ମିନତି ହୋଇଥାଏ ୧୦କି ୧୨ବର୍ଷର ବାଳକ। ନାଁ ସୁବାସ। ଯେଉଁ ବୟସରେ ପାଠପଢ଼ି ମାଆବାପାଙ୍କ କୋଳରେ ଅଳି ଅଝଟରେ ଦିନ ବିତୁଥାନ୍ତା ସେ ବୟସରେ ମୁଠେ ଖାଦ୍ୟ ଯୋଗାଡ଼ କରିବାକୁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି। ବାପା ମରିଯିବା ପରେ ମାଆ ଅନ୍ୟ ସହ ଭଉଣୀକୁ ଧରି ଆନ୍ଧ୍ର ଚାଲିଗଲେ। ସେବେଠାରୁ ୬ମାସରୁ ଊର୍ଦ୍ଧ୍ୱ ବିତିଗଲାଣି ଏକା ହୋଇଯାଇଛନ୍ତି ସୁବାସ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ।
ଚିତ୍ରକୋଣ୍ଡା ପଞ୍ଚାୟତଠାରୁ ୫୦ମିଟର ଦୂରରେ ସ୍ତ୍ରୀ ଗୌରୀ,ଝିଅ ଦୀପିକା ଓ ପୁଅ ସୁବାସଙ୍କୁ ଧରି ବସ୍ଷ୍ଟାଣ୍ଡ ପରିସରରେ ଏକ କୁଡିଆଘର କରି ପରିବାର ସହ ରହୁଥିଲେ ମାଛୁ ମାଟାମ। ବସ୍ଷ୍ଟାଣ୍ଡର ଉନ୍ନୟନ କାମ ହେବାରୁ ତାଙ୍କୁ ଏଠାରୁ ଚାଲିଯିବାକୁ କୁହାଯାଇଥିଲା। ପରେ ମାଛୁ ପିଲାଙ୍କୁ ଧରି ଚିତ୍ରକୋଣ୍ଡା ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ଘରେ ରହିଆସୁଥିଲେ। ନିଜର ଜାଗାବାଡ଼ି କିଛି ନ ଥିବାରୁ ସେ ଏମିତି ଏଠିସେଠି ରହୁଥିଲେ। ମୂଲ ମଜୁରି ଲାଗି ପରିବାର ଚଳାଉଥିଲେ। ଗତ ୨ ବର୍ଷ ହେଲା ସେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ରେ ଶ୍ରମିକ ଭାବେ କାମ କରୁଥିଲେ। ବିଭିନ୍ନ ସ୍ଥାନକୁ ଯାଉଥିବା ସିମେଣ୍ଟକୁ ସେ ଅନ୍ୟ ସାଥୀଙ୍କ ସହ ଠିକଣା ସ୍ଥାନରେ ଟ୍ରକ୍ରୁ ଖାଲି କରୁଥିଲେ। ୬ମାସ ତଳେ ଯାନବାଇ ଅଞ୍ଚଳକୁ ସିମେଣ୍ଟ ଓହ୍ଲାଇବା ପାଇଁ ଯାଉଥିବା ବେଳେ ବଡ଼ପଦର ପଞ୍ଚାୟତ ରାଙ୍ଗିନିଗୁଡା ବୁଲାଣିରେ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା । ଏଥିରେ ମାଛୁଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ କଷ୍ଟରେ କିଛିଦିନ ପିଲାଙ୍କୁ ଚଳାଇଥିଲେ ଗୌରୀ । କିନ୍ତୁ ପରେ ଜଣେ ବ୍ୟକ୍ତିଙ୍କ ସହ ଝିଅକୁ ଧରି ଆନ୍ଧ୍ରକୁ ଚାଲିଯାଇଥିଲେ। ୬ମାସ ହେଲା ସେ ଫେରୁନାହାନ୍ତି । ପୁଅ ସୁବାସ ସେବେଠାରୁ ଏକୁଟିଆ ହୋଇଯାଇଛନ୍ତି। ୪ର୍ଥ ଶ୍ରେଣୀରେ ପଢୁଥିବା ସୁବାସଙ୍କ ପାଠରେ ଡୋରି ବନ୍ଧା ହୋଇଛି। ଦିଓଳି ପେଟକୁ ଦି’ମୁଠା ଖାଦ୍ୟ ଯୋଗାଡ କରିବା ପାଇଁ ସେ ରାତି ପାହିଲେ ଅନ୍ୟମାନଙ୍କ ପାଖରେ କାମ କରିବା ଲାଗି ନେହୁରା ହେଉଛନ୍ତି। ବାବୁ ମୋତେ କମ୍ ଟଙ୍କା ଦିଅ ପଛେ କାମଟେ ଦିଅ ବୋଲି ଯାହ।।କୁ ଦେଖନ୍ତି ଅଳି କରନ୍ତି । ବସ୍ଷ୍ଟାଣ୍ଡ ଅଞ୍ଚଳରେ ଘୂରି ବୁଲନ୍ତି କାମଟିଏ ପାଇଁ। କେହିକେହି ଦୟାକରି ଯଦି କିଛି କାମ ଦିଅନ୍ତି । ସେଥିରେ ଦିନକୁ ତାଙ୍କର ୪୦/୫୦ ଟଙ୍କା ହୁଏ। କେଉଁଦିନ କିଛି କାମ ମିଳେନି । ସେଦିନ ଖାଲି ପେଟରେ ଶୁଅନ୍ତି । ପିଲାଟିର ସ୍ୱାଭିମାନ ଦେଖି ଦୁଃଖ ଯନ୍ତ୍ରଣାରେ ମନ ଭାରାକ୍ରାନ୍ତ ହୁଏ । ତେଣୁ ପ୍ରଶାସନ ଏହି ପିଲାଟିର ସୁନ୍ଦର ଭବିଷ୍ୟତ ପାଇଁ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।