(ମହାଭାରତ, ଜଳେଶ୍ୱର): ବେଆଇନ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ବେପାରିମାନଙ୍କୁ ଧରିବା ପାଇଁ ବାଲେଶ୍ୱର ଜିଲ୍ଲାରେ ପୋଲିସ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରସ୍ଥିତ ଶେଖବାଡ ଅଞ୍ଚଳରେ ପୋଲିସ ଚଢାଉ କରି ୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏଥିରେ ସମ୍ପୃକ୍ତ ଜଣକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଶେଖବାଡ ଅଞ୍ଚଳର ଓ ସେ ଜଣେ ପେଶାଦାର ନିଶାଦ୍ରବ୍ୟ ବେପାରୀ ବୋଲି ଜଣାପଡିଛି । ସୂଚନା ମୁତାବକ, ସହରରେ ବେଆଇନ ନିଶାଦ୍ରବ୍ୟ କାରବାର ହେଉଥିବା ଖବର ପାଇଁ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ଜଳେଶ୍ୱର ପୋଲିସର ଏକ ଟିମ ଯୋଜନାବଦ୍ଧ ଭାବେ ଗୁରୁବାର ଭୋର ପ୍ରାୟ ସାଢେ ୪ଟାରେ ଏଠାରେ ଥିବା ଏକ ଘର ଉପରେ ଚଢାଉ କରିଥିଲେ । ଏହି ସମୟରେ ଏଠାରୁ ୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଚଢାଉ ବେଳେ ବ୍ରାଉନସୁଗାର ସମେତ ଏଠାରେ ପୂର୍ବରୁ ଥିବା ଏକ ପେଶାଦାର ବ୍ରାଉନସୁଗାର ବେପାରୀକୁ ପୋଲିସ ଗିରଫ କରିଛି । ଏହି ଘଟଣାକୁ ନେଇ ଜଳେଶ୍ୱର ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
