(ନୂଆଦିଲ୍ଲୀ): ଚୀନରେ କୋରୋନା ଭାଇରସ ଯୋଗୁ ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୨୩୪୫ରେ ପହଞ୍ଚିଛି । ସେହିପରି ୭୬ ହଜାର ୨୮୮ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଚୀନରେ ଥିବା ଭାରତୀୟ ନାଗରିକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ତେବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ରେସକ୍ୟୁ ବିମାନ ପଠାଇବାକୁ ଚାହୁଁଥିଲେ ବି ଚୀନ ଅନୁମତି ଦେଉନାହିଁ । ବିଶ୍ୱର ଅନ୍ୟ ଦେଶଗୁଡିକ ସେମାନଙ୍କ ନାଗରିକଙ୍କୁ ଉଦ୍ଧାର ପାଇଁ ବିମାନ ପଠାଉଛନ୍ତି । କିନ୍ତୁ ଭାରତର ଅନୁରୋଧ ପରେ ମଧ୍ୟ ସେମାନଙ୍କୁ ଅନୁମତି ମିଳୁନାହିଁ । ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଯାଇଥିବା ଏୟାର ଇଣ୍ଡିଆ ବିମାନକୁ ଏୟାରଲିଫ୍ଟ କରିବାକୁ ଚୀନ ପ୍ରଶାସନ ଅନୁମତି ଦେଉ ନଥିବା କେତେକ ଭାରତୀୟ କେତେକ ଭାରତୀୟ ଅଧିକାରୀ ଅଭିଯୋଗ କରିଛନ୍ତି । ଫଳରେ ଏଠାରେ ଥିବା ଭାରତୀୟ ନାଗରିକ କୋରୋନା ଭୟରେ ଆତଙ୍କିତ ହୋଇପଡିଛନ୍ତି ।
ପୃଥିବୀର ବହୁ ଦେଶ ପକ୍ଷରୁ ସେମାନଙ୍କ ନାଗରିକଙ୍କୁ ଫେରାଇ ଆଣିବାକୁ ଉଡାଣ ଅବ୍ୟାହତ ରହିଛି । ଚୀନ ଅନ୍ୟ ସବୁ ଦେଶକୁ ଏୟାରଲିଫ୍ଟ ପାଇଁ ଅନୁମତି ଦେଉଥିଲେ ମଧ୍ୟ ଭାରତକୁ ଅନୁମତି ଦେଉ ନଥିବା କୁହାଯାଉଛି । ସେହିପରି ଭାରତର ରିଲିଫ ବିମାନକୁ ଚୀନ ଯିବାକୁ ଅନୁମତି ମିଳୁନାହିଁ । ଚୀନ ଏଭଳି କାହିଁକି କରୁଛି ତାହା ଏଯାଏ ଜଣାପଡି ନାହିଁ । ଗତ ୧୭ ତାରିଖରେ ଭାରତୀୟ ବାୟୁସେନାର ଏକ ବିମାନ କୋରୋନା ଆକ୍ରାନ୍ତଙ୍କ ପାଇଁ ଔଷଧ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ନେଇ ଉହାନ ଅଭିମୁଖେ ଯାତ୍ରା କରିବା ନେଇ ଭାରତ ସରକାର ଘୋଷଣା କରିଥିଲେ ।
କିନ୍ତୁ ଚୀନ ସରକାର ବିମାନ ଅବତରଣ ପାଇଁ ଅନୁମତି ଦେଉ ନଥିବାରୁ ଚୀନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ । ଅନ୍ୟ ପକ୍ଷରେ ଚୀନ ଏନେଇ ଜବାବ ରଖିଛି । କୌଣସି ସ୍ପଷ୍ଟ କାରଣ ଦିଆଯାଇ ପାରୁନଥିବାରୁ ମଞ୍ଜୁରୀ ମିଳି ପାରୁନି ବୋଲି ଚୀନ କହିଛି । ସୂଚନାଯୋଗ୍ୟ, ପୂର୍ବରୁ ଏୟାର ଇଣ୍ଡିଆର ଦୁଇଟି ସ୍ୱତନ୍ତ୍ର ବିମାନ ଉହାନ ଯାଇଥିଲା । ସେଠାରେ ଫସି ରହିଥିବା ୬୪୭ ଜଣଙ୍କୁ ଉଦ୍ଧାର କରି ଆଣିଥିଲା ।