(ମହାଭାରତ, ଭବାନୀପାଟଣା): ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ ପଡିଛନ୍ତି । କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ଗାଡିରୁ ମୋଟା ଅଙ୍କର ଟଙ୍କା କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଜବତ କରିଛନ୍ତି । ଏହାପରେ ତାଙ୍କ ଘରେ ଚଢାଉ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଗତ ବୁଧବାର ଶିବ ପ୍ରସାଦ ମିଲର୍ସମାନଙ୍କ ଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ହିଲ୍ ଟାଉନ ସ୍ଥିତ ନିଜ ଭଡା ଘରକୁ ଫେରୁଥିଲେ । ଗାଡିରେ ସେ ଟଙ୍କା ନେଇ ଆସୁଥିବା କଳାହାଣ୍ଡି ଭିଜିଲାନ୍ସ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ହିଲ ଟାଉନ ନିକଟରେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ସମୟରେ ଗାଡିରୁ ଟଙ୍କା ଜବତ ହୋଇଥିଲା । ଏହାପରେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ପଚାରିବାରୁ ଯୋଗାଣ ଅଧିକାରୀ ଶିବ ପ୍ରସାଦ ଏହାର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଏହାପରେ ତାଙ୍କ ଘରେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ନବରଙ୍ଗପୁର ସ୍ଥିତ ପୈ÷ତୃକ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଭିଜିଲାନ୍ସ ଅଧିକାରୀ ଶିବ ପ୍ରସାଦଙ୍କ ଅଟକ ରଖି ପଚରାଉଚରା କରୁଛନ୍ତି ।