ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି: ଆଜିର ଆଧୁନିକ ସମାଜର କିଛିଲୋକ କେକ କାଟି, ନୃତ୍ୟସଂଗୀତ ମାଧ୍ୟମରେ ଆଡମ୍ବର ସହକାରେ ଜନ୍ମବାର୍ଷିକୀ, ବିବାହବାର୍ଷିକୀ ଉତ୍ସବ ପାଳନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଏକ ଦମ୍ପତି ଭିନ୍ନଶୈଳୀରେ ସେମାନଙ୍କ ବିବାହ ବାର୍ଷିକୀ ପାଳନକରିଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ରହୁଥିବା ବଙ୍ଗାଳି ସମାଜର ସଭାପତି ଗୌରାଙ୍ଗ କର୍ମକାର ତାଙ୍କ ୨୫ତମ ବିବାହ ବାର୍ଷିକୀକୁ କରୋନା ଲକଡାଉନ ସମୟରେ ଅତି ନିରାଡମ୍ବର ଭାବେ ଭିନ୍ନ ପ୍ରକାରରେ ପାଳନ କରିଛନ୍ତି । ଏହି ଦମ୍ପତି ଦୁଇଟି ପୁତ୍ରହରା ଅସହାୟ ପିରବାରଙ୍କୁ ଭେଟି ସେମାନଙ୍କ ଆଖିରୁ ଲୁହପୋଛିବା ସହ କିଛି କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।
ସମଗ୍ର ବିଶ୍ୱରେ କରୋନା ମାହାମାରୀରେ ଅନେକ ଲୋକଙ୍କ ଜୀବନ ଓ ଜୀବିକା ଯାଇଛି । ମାଲାକନଗିରି ଜିଲ୍ଲା କାଲିମେଳା ବ୍ଲକର ଏମପିଭି୭୩ ଗ୍ରାମର ସତ୍ୟନାରାୟଣ ବିଶ୍ୱାସ ଓ ମୁର୍ଗାନ ହାଲଦାର ନାମକ ୨ଜଣ ବ୍ୟକ୍ତି ପେଟପାଇଁ ଚେନ୍ନାଇକୁ କାମକରିବାକୁ ଯାଇଥିଲେ । ଲକଡାଉନ ହୋଇ ଯାଇଥିବାରୁ ଗାଡି ଚଳାଚଳ କରୁନଥିବାରୁ ସେ ଦୁହେଁ ନିଜ ଘରକୁ ସାଇକେଲ ଯୋଗେ ଆସୁଥିବା ସମୟରେ ପ୍ରବଳ ଖରାରେ ସେମାନଙ୍କର ଅଧାରାସ୍ତାରେ ମୃତ୍ୟୁଘଟିଥିଲା ।ସେମାନେ ଘରେ ପହଁଚିବା ବଦଳରେ ସେମାନଙ୍କ ମୃତଦେହ ଘରେ ପହଁଚିଥିଲା । ଦୁଇପରିବାର ରୋଜଗାରୀଆ ପୁଅଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଥିଲେ । ଗୌରାଙ୍ଗ କର୍ମକାର ଓ ତାଙ୍କ ପତ୍ନୀ ସୁନିତା କର୍ମକାର,ପୁଅ ଗୁଲଟୁ କର୍ମକାର,ପୁତ୍ରବଧୁ ମୌମିତା କର୍ମକାର ଏମପିଭି୭୩ ଗ୍ରାମକୁ ଯାଇ ଏହି ଅସହାୟ ଦୁଇ ପରିବାରର ଦୁଃଖ ବାଣ୍ଟିବା ସହ ୩୧ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଛନ୍ତି । ଏଥିସହ ସେମାନଙ୍କୁ କିଛି ବିସ୍କୁଟ ଓ ଅନ୍ୟାନ ସୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଗୌରାଙ୍ଗଙ୍କ ଏହି ମହାନ କାର୍ୟ୍ୟ ଓ ମାନବିକତା ପାଇଁ ଆସହାୟ ପରିବାର ତାଙ୍କୁ ଆଶୀର୍ବାଦ ଦେବାସହିତ ଜିଲ୍ଲାବାସୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।