(ମୁମ୍ବାଇ): ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଶିବସେନା-ଏନସିପି-କଂଗ୍ରେସ ମହାମେଣ୍ଟରେ ମତଭେଦ ସୃଷ୍ଟି ହୋଇଛି । ମନ୍ତ୍ରିମଣ୍ଡଳରେ ବିଭାଗ ଭାଗବଣ୍ଟାକୁ ନେଇ ଶିବସେନା-କଂଗ୍ରେସ-ଏନସିିପି ମହାମେଣ୍ଟରେ ମତଭେଦ ସୃଷ୍ଟି ହୋଇଛି । ମନ୍ତ୍ରିମଣ୍ଡଳରେ ବିଭାଗ ଭାଗବଣ୍ଟାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଏନସିପି କୋଟାରୁ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିପାରେ ବୋଲି ଆଲୋଚନା ହେଉଛି । ମାତ୍ର ରାଜ୍ୟ କଂଗ୍ରେସର ମୁଖ୍ୟ ବାଲାସାହେବ ଥୋରାଟ ମନ୍ତ୍ରିମଣ୍ଡଳରେ ତାଙ୍କ ଦଳକୁ ମିଳିଥିବା ଭାଗବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କଂଗ୍ରେସ କୋଟାରୁ ମନ୍ତ୍ରୀଙ୍କୁ ଆଉ ୨/୩ଟି ବିଭାଗ ଦେବା ଉପରେ ବିଚାର କରନ୍ତୁ ବୋଲି ବାଲାସାହେବ କହିଛନ୍ତି । କିନ୍ତୁ କେଉଁ ବିଭାଗ କଂଗ୍ରେସ ନେବାକୁ ଚାହୁଁଛି ତାହା ସେ ଗଣମାଧ୍ୟମରେ ପ୍ରକାଶ କରିନାହାନ୍ତି ।
ତେବେ କଂଗ୍ରେସ ଗ୍ରାମୀଣ ବିକାଶ-କୃଷି ଏବଂ ଆବାସ ଓ ଉଦ୍ୟୋଗ ମନ୍ତ୍ରଣାଳୟ ନେବାକୁ ଦାବି କରୁଥିବା କୁହାଯାଇଛି । ଅନ୍ୟପଟେ ବାଲାସାହେବ କହିଛନ୍ତି ଯେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯଦି ଅତିରିକ୍ତ ବିଭାଗ କିଛି ମିଳେ, ତେବେ କଂଗ୍ରେସ ଖୁସି ହେବ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି ।
ସୂଚନାଯୋଗ୍ୟ, କଂଗ୍ରେସ ପ୍ରଥମରୁ ଉପମୁଖ୍ୟମନ୍ତ୍ରୀ ପଦବୀ ନେବାକୁ ଚାହୁଁ ନଥିଲା । କିନ୍ତୁ ପରେ ବାଚସ୍ପତି ପଦବୀ ନେଲା । ମହାମେଣ୍ଟରେ ବିଭାଗ ବଣ୍ଟନ ଫର୍ମୁଲା ଅନୁସାରେ ଶିବସେନା ନିକଟରେ ମୁଖ୍ୟମନ୍ତ୍ରୀ ପଦବୀ ରହିଛି । ଏନସିପି ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଛି । ତେଣୁ କଂଗ୍ରେସକୁ ମଧ୍ୟ ବାଚସ୍ପତି ପଦବୀ ମିଳିଛି ।