(ମହାଭାରତ, ମୁମ୍ବାଇ): ଶିବସେନାର ସଭାପତି ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେ ଦଳର ମୁଖପତ୍ର ‘ସାମନା’ର ନୂତନ ସମ୍ପାଦିକା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ‘ସାମନା’ର ମହିଳା ସମ୍ପାଦିକା ଭାବେ ଦାୟିତ୍ୱ ନେବାରେ ସେ ପ୍ରଥମ । ମରାଠୀ ଭାଷାରେ ପ୍ରକାଶ ପାଉଥିବା ଏହି ସମ୍ବାଦପତ୍ରର ରବିବାର ସଂସ୍କରଣରେ ସମ୍ପାଦକ ଭାବେ ରଶ୍ମୀଙ୍କ ନାମ ଛପାଯାଇଛି । ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଏହାର କାର୍ଯ୍ୟକାରୀ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇବେ । ୨୦୧୨ ମସିହାରେ ଶିବସେନାର ତତ୍କାଳୀନ ମୁଖ୍ୟ ବାଲ ଠାକରେଙ୍କ ଦେହାନ୍ତ ପରେ ପୁତ୍ର ଉଦ୍ଧବ ଠାକରେ ‘ସାମନା’ର ସମ୍ପାଦକ ପଦରେ ରହିଥିଲେ । ୨୦୧୯ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ସେ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ସୂବନାଯୋଗ୍ୟ, ମହାରାଷ୍ଟ୍ରବାସୀଙ୍କୁ ଶିବସେନାର ବିଚାରଧାରା ଜଣାଇବା ଉଦ୍ଦେଶ୍ୟରେ ୧୯୮୮ ମସିହା ଜାନୁଆରୀ ୨୩ ତାରିଖରେ ‘ସାମନା’ର ପ୍ରତିଷ୍ଠା କରାଯାଇଥିଲା । ଏହାର ହିନ୍ଦୀ ସଂସ୍କରଣ ମଧ୍ୟ ପ୍ରକାଶ ପାଉଛି । ଦଳର ଏହି ମୁଖ୍ୟପତ୍ରକୁ ପାଥେୟ କରି ଶିବସେନା ତା’ର ରାଜନୈତିକ ସ୍ଥିତି ସୁଦୃଢ କରିପାରିଛି । ଏଥିରେ ପ୍ରକାଶ ପାଉଥିବା ସମ୍ପାଦକୀୟ ଜରିଆରେ ଶିବସେନା ମହାରାଷ୍ଟ୍ର ଏବଂ ସାରା ଦେଶର ସମସ୍ୟା ଉପରେ ମତପୋଷଣ କରିଆସୁଛି ।
previous post
next post