ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ଆଜି ପୂର୍ବାହ୍ନରେ ଦିଲ୍ଲୀର ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଟ୍ରମ୍ପ ଦମ୍ପତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏକ ମିନିଟର ନିରବ ପ୍ରାର୍ଥନା କରିଥିଲେ । ଏହାକୁ ସ୍ମରଣୀୟ କରିବାକୁ ସେଠାରେ ଏକ ସାହା ବବୁଲ ବୃକ୍ଷ ରୋପଣ କରିଛନ୍ତି । ବୃକ୍ଷ ମୂଳରେ ଉଭୟ ମାଟି ଢାଳିଥିଲେ । ସେଠାରେ ଥିବା ପରିଦର୍ଶକ ପୁସ୍ତକରେ ମଧ୍ୟ ଟ୍ରମ୍ପ ଦସ୍ତଖତ କରିଥିଲେ । ଦସ୍ତଖତ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି, ଆମେରିକା ବାସୀ ବାପୁଙ୍କ ଦୃଷ୍ଟିଭଙ୍ଗୀକୁ ସର୍ବଦା ଦୃଢତାର ସହ ପାଳନ କରିଛନ୍ତି । ରାଜଘାଟ ଯିବା ପୂର୍ବରୁ ଟ୍ରମ୍ପ ରାଷ୍ଟପତି ଭାବନରେ ଅନୁଷ୍ଠିତ ଔପଚାରିକ ସ୍ୱାଗତ ସମ୍ବର୍ଦ୍ଧନାରେ ଯୋଗଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଟ୍ରମ୍ପଙ୍କ ସହ ରାଜଘାଟ ଯାଇଥିଲେ ।
ସୂଚନାଯୋଗ୍ୟ ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ । କାଲି ସେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହା ପରେ ସେମାନେ ଆଗ୍ରା ଯାଇ ତାଜମହଲ ବୁଲି ଦେଖିଥିଲେ ଓ ସେଠାରେ ଫଟୋ ଉଠାଇଥିଲେ । ଆଜି ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହା ପରେ ରାତି ୧୦ଟାରେ ଟ୍ରମ୍ପ ପରିବାର ସ୍ୱରାଷ୍ଟ୍ର ଗମନ କରିବେ ।