ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ସ୍ନାତକ ଓ ସ୍ନାତକତ୍ତୋର ପରୀକ୍ଷା ହେବ ନାହିଁ । କରୋନା ଭୟାବହତାକୁ ନେଇ ବିଭାଗ ଏହି ନିଷ୍ପତ୍ତି ନେଇଛି । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ଓ ପିଜି ପାଠ୍ୟକ୍ରମର ଶେଷ ବର୍ଷର ପରୀକ୍ଷା ଓ ଶେଷ ସେମିଷ୍ଟାରକୁ ବାତିଲ କରିଦିଆଯାଇଛି । ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଲାଗି ଗୁରୁବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । ବୈଠକରେ ପରୀକ୍ଷା ବାତିଲ ହେବା ନେଇ କୁହାଯାଇଛି । କାରଣ କରୋନା ମହାମାରୀ ପାଇଁ ଯୁକ୍ତ ୩ ଓ ପିଜି ପାଠ୍ୟକ୍ରମର ଶେଷ ବର୍ଷ ଓ ଶେଷ ସେମିଷ୍ଟାର ପରୀକ୍ଷା ସୁରୁଖୁରୁରେ ହେବାର ସମ୍ଭାବନା କମ୍ ରହିଛି । ଏହିସବୁ ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ ଅନୁଷ୍ଠିତ ହେବା ନେଇ ଧାର୍ୟ୍ୟ ହୋଇଥିଲା ।
ବର୍ତ୍ତମାନର ସ୍ଥିତିକୁ ଦେଖି ପିଜି ଓ ଯୁକ୍ତ ୩ ପାଠ୍ୟକ୍ରମର ଶେଷ ବର୍ଷ ପରୀକ୍ଷା ବାତିଲ କରାଯାଇଛି । ତେବେ ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ଯେଉଁ ଛାତ୍ରଛାତ୍ରୀମାନେ ବିକଳ୍ପ ବ୍ୟବସ୍ଥାରେ ପାଉଥିବା ମାର୍କଠୁ ଅଧିକ ମାର୍କ ପାଇବେ ବୋଲି ଭାବନ୍ତି ସେମାନେ ନଭେମ୍ବର ମଧ୍ୟରେ ପରୀକ୍ଷା ଦେଇପାରିବେ । ଯେଉଁଠାରେ ପରୀକ୍ଷା ସରିଛି ସେଠାରେ ଏହି ନୂଆ ନିୟମ ଲାଗୁ ହେବ ନାହିଁ । ଯେଉଁ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଗୋଟିଏ ବା ଦୁଇଟି ବ୍ୟାକ୍ ପେପର୍ ଥିବ ସେମାନଙ୍କ ଏହି ପେପର୍ ବାତିଲ କରାଯିବ । ଏତତ୍ ବ୍ୟତୀତ ଯେଉଁମାନଙ୍କର ୨ରୁ ଅଧିକ ବ୍ୟାକ୍ ଥିବ ସେମାନେ ସାଧାରଣ ଭାବେ ତାରିଖ ଧାର୍ୟ୍ୟ ହେଲେ ପରୀକ୍ଷା ଦେବେ । ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ଉଚ୍ଚ ଶିକ୍ଷା ବିଭାଗର ଅନ୍ୟ ପାଠ୍ୟକ୍ରମ ପାଇଁ ନିଷ୍ପତ୍ତି ହୋଇଛି ।
previous post