ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଇରାନୀ କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ପରେ ମଧ୍ୟ- ପୂର୍ବ ଦେଶରେ ଯୁଦ୍ଧର କଳା ବାଦଲ ଘନେଇବାରେ ଲାଗିଛି । ଇରାନ ପ୍ରତିଶୋଧ ପରାୟଣ ହୋଇ ଇରାକସ୍ଥିତ ଆମେରିକୀୟ ଦୂତାବାସ ଉପରେ ରକେଟ ଆକ୍ରମଣ କରିଛି । ଏହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନର ୫୨ଟି ଠିକଣା ଆମେରିକା ସେନା ଟାର୍ଗେଟରେ ରହିଛି । ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ୟୁରୋପୀୟ ସଂଘ ଉଭୟ ଦେଶକୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ୟୁରୋପୀୟ ସଂଘର ବିଦେଶ ନୀତି ପ୍ରମୁଖ ଜୋସେଫ ବୋରିଲ ଶନିବାର ଦିନ ଉଭୟ ଦେଶ ଉଦ୍ଦେଶ୍ୟରେ ଅପିଲ କରିଛନ୍ତି । ଇରାନୀ ବିଦେଶ ମନ୍ତ୍ରୀ ମୋହମ୍ମଦ ଜାବେଦ ଜରିଫଙ୍କ ସହ ବ୍ରସେଲ୍ସରେ ସାକ୍ଷାତ ପରେ ଯୋସେଫ ବେରିଲ ଟୁଇଟ କରି କହିଛନ୍ତି, ତାଜା ଘଟଣାକ୍ରମରେ ଇରାନ ବିଦେଶ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଗକୁ ଯେପରି ପରିସ୍ଥିତି ଗମ୍ଭୀର ନ ହୁଏ, ସେଥିଲାଗି ଅପିଲ କରିବା ସହ ଝଗଡା ତୁଟାଇବା ଉପରେ ସେ ଜୋର ଦେଇଥିବା ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, କମାଣ୍ଡର କାସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ପରେ ବିଭିନ୍ନ ଦେଶ ପକ୍ଷରୁ ଶାନ୍ତି ବଜାୟ ରଖିବାକୁ ଅପିଲ ପରାଯାଇଛି । ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋନ ଅଲଗା ଅଲଗା ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଓ ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଅର୍ଦୋଗନଙ୍କ ସହ ଫୋନରେ ମଧ୍ୟ ପୂର୍ବର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ତିନି ନେତା ବର୍ତ୍ତମନର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଉଭୟ ଇରାନ ଓ ଆମେରିକା ସଂଜମତା ରକ୍ଷା କରିବାକୁ ଅପିଲ କରିଛନ୍ତି । ସେହିପରି ବ୍ରିଟେନର ବିଦେଶ ଦୂରତ ଡୋମିନିକ ରାବ ସୁଲେମାନୀର ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ଉଦ୍ବେଗକୁ ସମ୍ଭାଳିବା ଆବଶ୍ୟକ ବୋଲି କହିବା ସହ ଯୁଦ୍ଧ ଆମ ହିତ ଅନୁରୂପ ନୁହେଁ କହିଛନ୍ତି । ସିରିଆର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଇରାକ ଓ ଇରାନ ପ୍ରତି ସମ୍ବେଦନା ପ୍ରକଟ କରିଛନ୍ତି ଓ ଆମେରିକାର ନିଦ୍ଦା କରିଛନ୍ତି । ସିରିଆ ପକ୍ଷରୁ କୁହାଯାଇଛି କି, ଇରାକର ଅସ୍ଥିରତାର କାରଣ ଆମେରିକା । ଏହା ସହ କତର ଓ ଲେବନାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଉଭୟ ପକ୍ଷକୁ ସଂଯମତା ରକ୍ଷା କରିବାକୁ ଅପିଲ କରାଯାଇଛି । ଯେମିତି ମଧ୍ୟ-ପୂର୍ବର ସ୍ଥିତି ଖରାପ ନ ହୁଏ ।