(କାଶ୍ମୀର): ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରରେ ପୁଣିଥରେ ଗ୍ରେନେଡ ମାଡ କରିଛନ୍ତି । ରବିବାର ଶ୍ରୀନଗର ଲାଲଚୌକ ଠାରେ ମୁତୟନ ଥିବା ସିଆରପିଏଫ ସି-୧୭୧ ବାଟାଲିୟନ ଯବାନଙ୍କ ଉପରେ ଗ୍ରେନେଡ ମାଡ଼ କରାଯାଇଥିଲା । ଏହି ଆକ୍ରମଣରେ ଦୁଇ ସାଧାରଣ ନାଗରିକ ଏବଂ ସୁୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଘଟଣାପରେ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ସମସ୍ତ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଚଳାଇଥିବା ଜଣାପଡିଛି । ସିଆରପିଏଫ ଆଇଜିଙ୍କ ମୁତାବକ, ରବିବାର ବଜାରରେ ଜନଗହଳି ଥିବା ବେଳେ ଏହି ସମୟରେ ଗ୍ରେନେଡ ଆକ୍ରମଣ ହୋଇଛି । ତେବେ ସ୍ଥାନୀୟ ଲୋକଙ୍କୁ ଭୟଭିତ କରିବା ଆତଙ୍କୀଙ୍କ ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଘାଟିରେ ପୂର୍ବରୁ ଅନେକ ଥର ଆତଙ୍କବାଦୀଙ୍କ ପକ୍ଷରୁ ଯବାନମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଛି । ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଏଠାରେ ଗୁଳି ବିନିମୟ ବେଳେ ଲସ୍କର-ଇ-ତୋଇବାର ଏକ ଆତଙ୍କବାଦୀକୁ ପୋଲିସ ଗିରଫ କରିଥିଲା । ଜମ୍ମୁ-କାଶ୍ମିରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ କରିବାକୁ ଅନେକ ଯୋଜନା କରୁଛନ୍ତି ।
previous post