(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ସହରର ବାଜି ଚୌକସ୍ଥିତ ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ ମାନ୍ୟତା ଓ ଦାବିରେ ଶୁକ୍ରବାର ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଥିଲା । ଦକ୍ଷିଣକାଳି ଅଞ୍ଚଳରେ ଥିବା ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ କରାଯିବା ପାଇଁ ମଧ୍ୟ ଦାବି ହୋଇଥିଲା । ସହରର ନାଗରିକ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଥିଲା । ଫଳରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଢେଙ୍କାନାଳ ସହର ବନ୍ଦ ରହିଥିଲା । ଟାଉନର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ବନ୍ଦ ପ୍ରଭାବରେ ସହରରେ ୧୨ ଘଣ୍ଟା ପାଇଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଫଳରେ ସହରବାସୀଙ୍କ ଗମନାଗମନରେ ସାମୟିକ ଭାବେ ଅସୁବିଧା ସୃଷ୍ଟି ହୋଇଥିଲା । ରେଳ ଚଳାଚଳକୁ ଏହି ବନ୍ଦରୁ ବାଦ୍ ଦିଆଯାଇଥିଲା । ବନ୍ଦ ଡାକରାରେ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜିବୀ, ବଣିକ ସଂଘ, ସାମ୍ବାଦିକ ସଂଘ ଆଇନଜୀବି ଓ ବିଭିନ୍ନ ରାଜନୈ÷ତିକ ଦଳ ସାମିଲ ହୋଇଥିିଲେ । ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ବେଳେ ସହରରେ ଗାଡି ମୋଟର ଚଳାଚଳ ବନ୍ଦ ଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ନପାରି ହଇରାଣ ହେବାକୁ ପଡିଥିଲା । ପ୍ରକାଶଯୋଗ୍ୟ, ସହରର ବାଜି ଚୌକ ଠାରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠା କୌଣସି କାର୍ଯ୍ୟରେ ବ୍ୟବହାର ନ ହୋଇ ଅସାମାଜିକ କାର୍ଯ୍ୟକଳାପର ପେଣ୍ଠସ୍ଥଳୀ ପାଲଟିଛି । ଏଥିପାଇଁ ପୂର୍ବରୁ ବହୁ ଥର ଏହାକୁ ସିଟି ହସ୍ପିଟାଲ ମାନ୍ୟତା ଦେବାକୁ ଦାବି ହୋଇ ଆସୁଥିଲା । କିନ୍ତୁ ସରକାର କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ଏହାର ପ୍ରତିବାଦରେ ଶୁକ୍ରବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଥିବା ନାଗରିକ କ୍ରିୟାନୁଷ୍ଠାନ କମିଟି କହିଛି ।
previous post