(ମହାଭାରତ,ବଣାଇ): ସ୍ୱାମୀ ନାଁରେ ମଥାରେ ସିନ୍ଦୁର ପିନ୍ଧୁଥିବା ସ୍ତ୍ରୀ ସୁପାରି ଦେଇ ତାକୁ ହତ୍ୟା କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି ସୁନ୍ଦରଗଡ ପୋଲିସ । ଫଳରେ ସ୍ୱାମୀକୁ ହତ୍ୟା କରି ପ୍ରେମିକ ସହ ରହିବା ଲାଗି ସ୍ତ୍ରୀ କରିଥିବା ଯୋଜନା ଭଣ୍ଡୁର ହୋଇଯାଇଛି । ଏହି ଘଟଣାରେ ପୋଲିସ ମୃତ ସ୍ୱାମୀର ହତ୍ୟାକାରୀ ସ୍ତ୍ରୀ, ତା’ ପ୍ରେମିକ ଏବଂ ୨ ସୁପାରି କିଲରଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ଗତ ୧୯ ତାରିଖ ବଣାଇ ଥାନା କେନ୍ଦ୍ରୀକଲା ନିକଟବର୍ତ୍ତୀ ଏକ ଜଙ୍ଗଲରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଯୁବକଙ୍କ ଗଳା କଟାଯାଇଥିବା ବେଳେ ତାଙ୍କ ମୁହଁ ଏବଂ ମୁଣ୍ଡରେ କ୍ଷତ ଚିହ୍ନ ରହିଥିଲା । ଘଟଣାସ୍ଥଳରେ ମଦ ବୋତଲ ଏବଂ ବାଡି ପଡିଥିବାରୁ ଉକ୍ତ ଯୁବକଙ୍କୁ ସଂଘବଦ୍ଧ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଥିଲା । ତେବେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଏହି ହତ୍ୟା ଘଟଣା ପଛରେ ମୃତକଙ୍କ ସ୍ତ୍ରୀର ହାତ ଥିବା ପୋଲିସ ତଦନ୍ତରୁ ଜଣାପଡିଛି । ସ୍ତ୍ରୀ ତା’ର ପ୍ରେମିକକୁ ବିବାହ କରି ସ୍ୱାମୀକୁ ରାସ୍ତାରୁ ହଟାଇବା ଯୋଜନା କରିଥିଲା । ତେଣୁ ସ୍ୱାମୀର ହତ୍ୟା ପାଇଁ ୨ ଜଣଙ୍କୁ ସୁପାରି ଦେଇଥିଲା । ଯୋଜନା ମୁତାବକ ସୁପାରି କିଲର ଯୁବକଙ୍କୁ ହତ୍ୟା କରିଥିଲେ । ପୋଲିସ ସ୍ତ୍ରୀକୁ ପଚରାଉଚରା କରିବା ପରେ ଏହି ଘଟଣା ଉପରୁ ପର୍ଦ୍ଦା ହଟିଛି । ଏହା ସହିତ ପୋଲିସ ଅଭିଯୁକ୍ତ ସ୍ତ୍ରୀ, ତା’ ପ୍ରେମିକ ସହ ୨ ସୁପାରି କିଲରଙ୍କୁ ଗିରଫ କରିଛି ।