କଟକ: ସ୍କୁଲ ଫି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାର ଦେଇଥିବା ରିହାତି ପ୍ରସ୍ତାବକୁ କାର୍ୟ୍ୟକାରୀ କରିବାକୁ ଅନୁମତି ଦେଇଛନ୍ତି । କମିଟି ଆଧାରରେ ନିଆଯାଇଥିବା ନିଷ୍ପତିକୁ କାର୍ୟ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବି ଆର ଷଡଙ୍ଗୀଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସମାନ ବିଷୟକୁ ନେଇ ହୋଇଥିବା ଅନ୍ୟ ପିଟିଶନର ବିଚାର ଆଉ କରାଯିବ ନାହିଁ ।
କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ତେବେ ଘରୋଇ ସ୍କୁଲ ଗୁଡିକ ବନ୍ଦ ସତ୍ତେ୍ୱ ପିଲାଙ୍କଠାରୁ ମାସିକ ଫି ଆଦାୟ କରିବାକୁ ନେଇ ଅଭିଭାବକ ସଂଘ ପ୍ରଥମେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । କିନ୍ତୁ ରାଜ୍ୟ ସରକାର ଏହି କ୍ଷେତ୍ରରେ କୌଣସି ପଦକ୍ଷେପ ନ ନେବାରୁ ସଂଘ ହାଇକୋର୍ଟରେ ପହଞ୍ଚିଥିଲା । ଏହି ମାମଲାକୁ ନେଇ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ହାଇକୋର୍ଟରେ ଯାଚିକା ଦାୟର ହୋଇଥିଲା । ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସଭାପତି ପ୍ରଦୀପ୍ତ ନାୟକ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ।
