(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲାରେ ପଥର ମାଫିଆଙ୍କ ବେଆଇନ ଚାଲାଣ ଉପରେ ରୋକ ଲଗାଇବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଛି । ଏହି କ୍ରମରେ ଜିଲ୍ଲା ପୋଲିସକୁ ଏଠାରେ ବଡ ସଫଳତା ମିଳିଛି । ଜିଲ୍ଲା ଅନ୍ତର୍ଗତ ଓଡାପଡା ତହସିଲ ଅନ୍ତର୍ଗତ ରାଣିବଣିଆ ଗାଁରେ ଥିବା ଏକ ବେଆଇନ ପଥର ଖାଦାନ ଉପରେ ପୋଲିସ ମଙ୍ଗଳବାର ଚଢାଉ କରିଛି । ଚଢାଉ ବେଳେ ଖାଦାନରୁ ପଥର ଖୋଳିବାରେ ବ୍ୟବହୃତ ହେଉଥିବା ୨ଟି ଜେସିବି ମେସିନ ସମେତ ୭ଟି ପଥର ବୋଝେଇ ଟ୍ରକ୍ ଜବତ କରିଛି । ସୂଚନା ଅନୁଯାୟୀ, ଏଠାରେ ଥିବା ଖାଦାନରୁ ବେଆଇନ ଭାବେ ପଥର ଚାଲାଣ ହେଉଥିବା ଖବର ପୂର୍ବରୁ ମିଳିଥିଲା । ତେବେ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଯୋଜନାବଦ୍ଧ ଭାବେ ମଙ୍ଗଳବାର ଭୋର ବେଳେ ଉକ୍ତ ପଥର ଖାଦାନରେ ଚଢାଉ କରିଥିଲେ । ଏହି ସମୟରେ ସେଠାରେ ଗାଡିଗୁଡିକ ଠିଆ ହୋଇଥିବା ଦେଖାଯାଇଥିଲା । ଏହାକୁ ପୋଲିସ ଜବତ କରିଥିଲା । ତେବେ ଚଢାଉ ବେଳେ ପଥର ଖାଦାନରେ କାର୍ଯ୍ୟରତ ଶ୍ରମିକମାନେ ସେଠାରୁ ଚମ୍ପଟ ହୋଇଥିଲେ । ପୂର୍ବରୁ ଓଡାପଡା ତହସିଲ ତରଫରୁ ଏଠାରେ ଚାଲିଥିବା ବେଆଇନ ପଥର ଚାଲାଣ ଉପରେ ରୋକ ଲଗାଇବା ପାଇଁ ଏକ ମାମଲା ରୁଜୁ ହୋଇଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ।
previous post
next post
