ପୁରୀ/ ସଞ୍ଜୟ ମହାପାତ୍ର :ପଞ୍ଚଭୂତରେ ବିଲୀନ ହେଲା ସାହିତ୍ୟିକ ସାତକଡି ହୋତାଙ୍କ ମରଶରୀର । ଶୋକାକୁଳ ପରିବେଶରେ ପୁରୀ ସ୍ଵର୍ଗଦ୍ଵାରରେ ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତିମ ସଂସ୍କାର ହୋଇଛି। ଷ୍ଟେଟ ଅନର୍ ସହିତ ସାତକଡିଙ୍କୁ ସ୍ଵର୍ଗଦ୍ଵାର ଠାରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ ହେବା ସହ ଗାର୍ଡ ଅଫ୍ ଅନର୍ ପରେ ବଡ଼ପୁଅ ସଂଜୀବ ହୋତା ମୁଖାଗ୍ନି ଦେଇଥିଲେ । ଗତକାଲି ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ଘଟିଥିଲା । ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ବାସଭବନରେ ସେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରଥିଲେ। ଦୁଇ ଦିନ ତଳେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାସହ ଖାଦ୍ୟ ଖାଇବା ମଧ୍ୟ ସମସ୍ୟା ହୋଇଥିଲା । ପରେ ଗତକାଲି ଦିନ ୧୨ଟା ୨୫ ମିନିଟ୍ରେ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ଆଜି ସ୍ଵର୍ଗଦ୍ଵାର ରେ ବିଶିଷ୍ଟ ବ୍ୟକ୍ତି,ସଂଗଠକ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ସ୍ୱର୍ଗଦ୍ୱାରରେ ଶ୍ରୀଯୁକ୍ତ ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବାପାଙ୍କ ଅଧୁରା କାମକୁ ଆଗେଇ ନେବା ପାଇଁ ମାସିକ ପତ୍ରିକା ଅମୃତାୟନକୁ ଆଗେଇ ନେବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରହିବ ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି ।
