(ଦିଲ୍ଲୀ) : ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ଆଜି ମଦ ନୀତି ଦୁର୍ନିତ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ମେ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦିଲ୍ଲୀ ଏକ୍ସାଇଜ୍ ପଲିସି ସହ ଜଡିତ ସିବିଆଇ ମାମଲାରେ ହୋଇଥିବା ଶୁଣାଣି ପାଇଁ କୋର୍ଟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ସୂଚନାନୁଯାୟୀ , ମନୀଷ ସିସୋଦିଆ ଏବଂ ଅନ୍ୟ ଗିରଫ ଅଭିଯୁକ୍ତମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲରୁ ହାଜର କରାଯାଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ, ଏହା ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି କୁ ଅଭିଯୁକ୍ତ କରିବ । ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷଙ୍କ ଜାମିନ ଆବେଦନକୁ ବିରୋଧ କରୁଥିବାବେଳେ ଇଡି ଏହା କହିଛି । ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ଚାର୍ଜ ଫ୍ରେମ୍ ଉପରେ ଶୁଣାଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଆବେଦନ ଉପରେ ଶୁଣାଣି ଆସନ୍ତା ୨୪ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟରେ ହେବ ।
