ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬ । ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ଆୟ ବ୍ୟୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିବେ। କେଉଁଠୁ ଆସିବ ଅର୍ଥ, କେମିତି ଖର୍ଚ୍ଚ ହେବ । ବଜେଟ୍ ଆକାର ବଢି ୩ ଲକ୍ଷ ୨୦ ହଜାର କୋଟି ଟଙ୍କା ଟପିପାରେ । ଗତ ବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟି ର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିବା ବେଳେ ୧୭ ହଜାର ୪୪୦ କୋଟି ର ଅତିରିକ୍ତ ବଜେଟ ଆଣିଥିଲେ । ତେବେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ଲକ୍ଷ ୨୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି। ସଠିକ ସମୟରେ ବଜେଟ୍ ଅର୍ଥ ଖର୍ଚ୍ଚ ନ ହେବ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଏହାସହ ଋଣଭାର ବି ବଢୁଛି । ଏହା ଭିତରେ ଏକ ସନ୍ତୁଳିତ ବଜେଟ୍ ରଖିବାକୁ ଚାହିଁବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଫୋକସ ରେ ରହିପାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ଭିତ୍ତିଭୂମି ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ ଭଳି କ୍ଷେତ୍ର ।
ଅର୍ଥମନ୍ତ୍ରୀ ଭାବେ ଲଗାତାର ତୃତୀୟ ଥର ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗତ ହେବାକୁ ଥିବା ବଜେଟରେ ସମ୍ଭାବ୍ୟ ଘୋଷଣା ଓ ଆହ୍ୱାନ କଣ ରହିବ ଆସନ୍ତୁ ଦେଖିବା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁକୁ ଅଧିକ ଫୋକସ କରି ପାରନ୍ତି ରାଜ୍ୟ ସରକାର । ଗ୍ରାମୀଣ ଭିତ୍ତିଭୂମି ଉନ୍ନତିକୁ ମିଳିପାରେ ଅଧିକ ପ୍ରାଧାନ୍ୟ । କୃଷି କ୍ଷେତ୍ରକୁ ମିଳିପାରେ ପ୍ରାଥମିକତା। ମଣ୍ଡି ଭିତ୍ତିଭୂମି, ଶୀତଳ ଭଣ୍ଡାର ନିର୍ମାଣ ସହ ଇନପୁଟ ସବସିଡ଼ି ପାଇଁ ହୋଇପାରେ ଅଧିକ ବ୍ୟୟ ବରାଦ । ଜଳସେଚନ ପାଇଁ ବଜେଟ୍ରେ ଅଧିକ ବ୍ୟବସ୍ଥା ରଖି ପାରନ୍ତି ରାଜ୍ୟ ସରକାର । ନୂଆ ବ୍ୟାରେଜ ଓ ଡ୍ୟାମ ନିର୍ମାଣ ପାଇଁ ଘୋଷଣା କରି ପାରନ୍ତି ସରକାର । ମହିଳା ସଶକ୍ତିକରଣ ପାଇଁ ଲକ୍ଷ ପତି ଦିଦି, ସୁଭଦ୍ରା ଯୋଜନା ଭଳି ଫ୍ଲାଗସିପ ସ୍କିମରେ ଅଧିକ ବ୍ୟୟ ବରାଦ ହୋଇପାରେ । ଟେକ୍ନୋଲୋଜି ବିକାଶ, ଏଆଇ, ଭିତ୍ତିଭୂମି, ଶିଳ୍ପ ଓ ସଡ଼କ ପରିବହନର ବିକାଶ ପାଇଁ ନିଆଯାଇପାରେ ବଡ଼ ନିଷ୍ପତ୍ତି । ସାମାଜିକ ସୁରକ୍ଷା କୁ ମିଳିପାରେ ଗୁରୁତ୍ୱ । ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ହୋଇପାରେ । କ୍ୟାପିଟାଲ ରିଜନ ରିଂ ରୋଡ, ଅର୍ଥନୈତିକ କରିଡର ଭଳି ନୂଆ ଯୋଜନା ପାଇଁ ମଧ୍ୟ ବଜେଟରେ ବଡ ବ୍ୟୟବରାଦ ହେବ। ଶିକ୍ଷା ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାକୁ ବଜେଟରେ ମିଳିପାରେ ପ୍ରାଧନ୍ୟ।
