ନୂଆଦିଲ୍ଲୀ: ଦେଶରେ ୧୮ରୁ କମ ବୟସ୍କ ପିଲାମାନଙ୍କୁ ଆସନ୍ତା ମାସରୁ କରୋନା ଟିକା ଦିଆଯାଇ ପାରେ ବୋଲି ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି। ବିଜେପିର ସଂସଦୀୟ ଦଳର ବୈଠକରେ ସେ କହିଛନ୍ତି, ଆସନ୍ତା ମାସରୁ ସରକାର ଛୋଟ ପିଲାମାନଙ୍କର ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ କରିପାରନ୍ତି। ଏଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ। ଏହା ବ୍ୟତୀତ ଭାରତ ବିଶ୍ୱର ସବୁଠାରୁ ଅଧିକ ଟିକା ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି।
ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରୁ ଅନୁଷ୍ଠିତ ନିୟମିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏଯାଏ ମହାମାରୀର ପ୍ରଭାବ ଶେଷ ହୋଇନାହିଁ। ଦେଶରୁ କରୋନାର ଦ୍ୱିତୀୟ ଲହର ସରିନାହିଁ। ଦେଶର ୧୨ଟି ରାଜ୍ୟର ୫୪ଟି ଜିଲ୍ଲାରେ ପଜିଟିଭିଟି ରାଟ୍ ୧୦% ଉପରେ ରହୁଛି। ସେଥିମଧ୍ୟରୁ ୨୨ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ଓ ପିଜିଟିଭିଟି ରେଟ୍ ବଢ଼ୁଛି। ସଂକ୍ରମଣର ସ୍ତର ହ୍ରାସ ପାଇବା ପ୍ରକ୍ରିୟ ବର୍ତ୍ତମାନ ଧିମା ହୋଇଯିବା ଚିନ୍ତାର ବିଷୟ।
ଦେଶରେ ଅଧିକରୁ ଅଧିକ ସଂଖ୍ୟକ କମ୍ପାନୀକୁ ଟିକା ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ। ସେମାନେ ଦେଶରେ ଉତ୍ପାଦନ ଆରମ୍ଭ କରିବେ । କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
