(ମହାଭାରତ, ଫୁଲବାଣୀ): ଫୁଲବାଣୀ ସହରରେ ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଲୁଟେରା ବାଇକରେ ଆସି ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକଙ୍କ ଘର ଶଙ୍କର ରାଓ ଓ ସେ ଫୁଲବାଣୀ ପିଅନପଡାର ବାସିନ୍ଦା ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ, ମଙ୍ଗଳବାର ଉକ୍ତ ବ୍ୟକ୍ତିଙ୍କ ଘର କାମ ଚାଲିଥିବାରୁ ସେ ଫୁଲବାଣୀ ମୁଖ୍ୟ ବଜାରସ୍ଥିତ ଏସବିଆଇ ଶାଖାରୁ ଲକ୍ଷେ ଟଙ୍କା ଉଠାଇ ତାଙ୍କର ସ୍କୁଟରରେ ଜେଲ ରୋଡ ରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ରାସ୍ତାରେ ତାଙ୍କର ଜଣେ ଅଫିସ କର୍ମଚାରୀଙ୍କ ସହିତ ଦେଖା ହେବାରୁ ସ୍କୁଟର ରାସ୍ତାରେ ରଖି ତାଙ୍କ ସହିତ କଥା ହେଉଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଗୋଟିଏ ବାଇକରେ ଆସି ତାଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପି ନେଇଯାଇଥିଲେ । ସେ ସଙ୍ଗେ ସଙ୍ଗେ ତାଙ୍କର ପିଛା କରିଥିଲେ । କିନ୍ତୁ ସେମାନଙ୍କୁ ପାଇ ନଥିଲେ । ପରେ ଏନେଇ ଟାଉନ ଥାନାରେ ସେ ଏତାଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।