ଓଡିଶା

ଅଜଣା ରୋଗରେ କବଳିତ ହୋଇ , ଦୀର୍ଘ ୭ ବର୍ଷ ଧରି ଜୀବନ ସହ କରୁଛି ସଂଘର୍ଷ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଅଧା ବୟସରେ ଜୀବନର ଗତିପଥ ବଦଳିଯାଇଛି ଏକ ଅଜଣା ରୋଗରେ। ବିବାହ ପରେ ପାରିବାରିକ ଜୀବନକୁ ନେଇ ଭବିଷ୍ୟତ କାମନା କରିଥିଲେ ମଧ୍ୟ ଦଇବ ହୋଇନି ସାହା। ଶାରୀରିକ ଅସୁସ୍ଥତା ସହ ଅଜଣା ରୋଗରେ କବଳିତ ହୋଇ ହତାସ ହୋଇପଡ଼ିଛି ସ୍ୱାମୀ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ପରିବାର ଭରସା ରେ ଖାଇବା ଠାରୁ ଆରମ୍ଭ କରି ଶୋଇବା ଯାଏଁ ଚାଲିଛି ଜୀବନ। ଏଭଳି ଏକ ଦୁର୍ବିଶହ ଜୀବନ କାଟୁଥିବା ଦେଖିବାକୁ ମିଳିଛି ପଡିଆ ବ୍ଳକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଗଠନପଲ୍ଲୀ ଗ୍ରାମର ଯୋଗୀ ମାଡ଼ି ଙ୍କ ଠାରେ । ପ୍ରାୟ ୨୫ ବର୍ଷ ସୁସ୍ଥ ଓ ନିରାମୟ ଜୀବନଯାପନ କରିବା ସହ ସେହି ଗ୍ରାମରେ ବାହାହୋଇ ଘର ସଂସାର କରିଥିଲେ । ବିବାହ ପରେ ଏକ ଶିଶୁ ଜନ୍ମ ହେବା ସହ ସ୍ଵାମୀ ଲିଙ୍ଗା ମାଡ଼ି ସହ ପାରିବାରିକ ଜୀବନ ସୁଖସ୍ଵାଚ୍ଛନ୍ଦ ରେ କାଟୁଥିଲା। ତେବେ ପ୍ରାୟ ତିନିବର୍ଷ ବିତିବା ପରେ ରୋଗରେ ପଡି ଶିଶୁଟି ର ମୃତ୍ୟୁ ହୋଇଯିବା ସହ ଯୋଗୀର ଶରୀରକୁ ଏକ ଅଜଣା ରୋଗ କବଳିତ କରି ଅସୁସ୍ଥ କରିପକାଇଥିଲା। ଏହି ରୋଗ ଯୋଗୁଁ ପାଦ ର ଆଙ୍ଗୁଳି ଗୁଡିକ ଟେକି ହୋଇ ରହିବା ସହ ଚଳପ୍ରଚଳ କରିବା ବନ୍ଦ ହୋଇଗଲା। ଅନେକ ଚେଷ୍ଟା ସତ୍ତ୍ୱେ ଦିନକୁ ଦିନ ଏହି ଅସୁସ୍ଥତା ବଢ଼ିବାରୁ ସ୍ଵାମୀ ଲିଙ୍ଗା ମଧ୍ୟ ହାତ ଛାଡିଦେଇଥିଲା ଯୋଗୀକୁ ତା ଭାଇ ଜଗା ପଡିଆମି ଘରେ ଛାଡିଦେଇ ଗଲା। ଏହାରି ଭିତରେ ପ୍ରାୟ ୧୫ ବର୍ଷ ବିତିଯିବା ସହ ଯୋଗୀର ଶାରୀରିକ ଦୁର୍ବଳତା ବଢିବା ସହ କେଇଖଣ୍ଡ ହାଡ଼ ଭରା ଶରୀର ରେ ଜୀବନ-ଶ୍ୱାସ ଚାଲୁଥିବା ଦେଖିବାକୁ ମିଳିଛି। ଦଇବ ଦାଉ ସାଧିବା ପରି ନିଜର ଶାରୀରିକ ଅବସ୍ଥାକୁ ନେଇ ତିଳତିଳ ହୋଇ ବଞ୍ଚୁଥିବା ଯୋଗୀକୁ ଗତ କିଛି ବର୍ଷ ପୂର୍ବେ ଭାଲୁ ଆକ୍ରମଣ କରି ଡାହାଣ ହାତ ଉପର ଭାଗରୁ ଫାଳେ ମାଂସ ନେଇ କଷ୍ଟକୁ ଦ୍ଵିଗୁଣିତ କରିପକାଇଛି। ବର୍ତମାନ ସ୍ଥିତିରେ ଯୋଗୀଙ୍କ ଠାରେ ନିତ୍ୟ କର୍ମ ଠାରୁ ଆରମ୍ଭ କରି ଖାଇବା ପିଇବା ପର୍ୟ୍ୟନ୍ତ ଅନ୍ୟ ଜଣଙ୍କ ସାହାଯ୍ୟ ବିନା ଅସମ୍ଭବ ହୋଇ ପଡିଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବସି ରହିବା ମୁଦ୍ରାରେ ଗୁରୁଣ୍ଡି ଗୁରୁଣ୍ଡି ହୋଇ ଯାଉଥିବା ଦୃଶ୍ୟ ଅତ୍ୟନ୍ତ ଦୟନୀୟ ମନେ ହେଉଛି । ୪୨ ବର୍ଷିୟ ମଧ୍ୟ ବୟସ୍କା ଏହି ମହିଳାଙ୍କ ହାତ, ଗୋଡ ଚଳିବା ବନ୍ଦ ହେବା ସହ ଧୀରେ ଧୀରେ ପାଟିରୁ କଥା ମଧ୍ୟ ମୁଦି ହୋଇ ବାହାରିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଯୋଗୀ ର ହାତ ଅଚଳ ହୋଇ ଆଧାର କାର୍ଡ଼ ତିଆରି ହୋଇପାରୁନଥିବାରୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆବାସ ଗୃହ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇପାରିନାହିଁ । ଏପରି ସ୍ଥିତିରେ ଭାଇ ଜଗା ର ପରିବାର ଲୋକଙ୍କ ସହଯୋଗରେ ଜୀବନ କାଟୁଥିବା ବେଳେ ତୁରନ୍ତ ଉତ୍ତମ ଚିକିତ୍ସା ନମିଳିଲେ ଯୋଗୀର ଅବସ୍ଥା ଆହୁରି ଭୟଙ୍କର ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଜଗା ର ଆର୍ଥିକ ସ୍ଥିତି ଠିକ୍ ନଥିବା ସତ୍ତ୍ୱେ ସାମର୍ଥ୍ୟ ମୁତାବକ ଭଉଣୀ ଯୋଗୀର ଚିକିତ୍ସା କରିବାକୁ ପଡିଆ ରୁ ମାଲାକାନଗିରି ଓ ସେଠାରୁ ପଡୋଶୀ ଆନ୍ଧ୍ରପ୍ରଦେଶ ର ଭଦ୍ରାଚଳମ ନେଇ ନିରାଶ ହୋଇଥିବା କହିଛି। ଯୋଗୀର ସ୍ୱାସ୍ଥ୍ୟ ସମସ୍ୟା ନେଇ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଡଃ ପାଣୁ ଚରଣ ମଣ୍ଡଳ କୁ ପଚାରିବାରୁ ଏହା ଦୁର୍ବଳତା ଯୋଗୁଁ ହୋଇଥାଇପାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସମସ୍ତ କଥା ଜଣାପଡିବ ବୋଲି କହିଛନ୍ତି। ଏପରି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଯୋଗୀକୁ ଉଦ୍ଧାର କରି ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Related posts

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

mahabharatanews

ସରପଞ୍ଚଙ୍କୁ ମାଡ ମାରିବା ଅଭିଯୋଗରେ କନେଷ୍ଟବଲ ନିଲମ୍ବିତ

mahabharatanews

ଆଜି ୨ଟାରୁ ରଥଟଣା 

mahabharatanews