(ମହାଭାରତ, ଯାଜପୁର): ଶନିବାର ସକାଳେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡଚଣା ଅଞ୍ଚଳର କଢେଇ ଛକ ଠାରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି । ଟ୍ୟାଙ୍କର ଓଲଟିବା ପରେ ଏଥିରୁ ଗ୍ୟାସ ଲିକ୍ ହେଉଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କଟକରୁ କୋଲକାତା ଅଭିମୁଖେ ଯାଉଥିବା ଗ୍ୟାସ ଟ୍ୟାଙ୍କରଟି ବଡଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଢେଇ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି । ଗାଡି ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି । ତେବେ କୌଣସି ପ୍ରକାର ଅଘଟଣ ଘଟିବା ପୂର୍ବରୁ ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଉପରେ ପାଣି ପକାଉଥିବା ଦେଖିବାକୁ ମିଳିଥିଲା । ଟ୍ୟାଙ୍କରରୁ ଗ୍ୟାସ ଲିକ୍ ରୋକିବା ପାଇଁ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଖବର ପାଇ ବଡଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।